ବନ ବିଭାଗକୁ ବଡ଼ ସଫଳତା: ଏକ ଟନ କଇଁଛ ଜବତ, ୨ ଗିରଫ

ମାଲକାନଗିରି/ଚିତ୍ରକୋଣ୍ଡା,୩୦।୯(ଦୁର୍ଯ୍ୟୋଧନ ପାତ୍ର/ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନ ବିଭାଗ ତରଫରୁ ଏକ କଇଁଚ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛନ୍ତି। ଆଜି ସକାଳେ ଚିତ୍ରକୋଣ୍ଡା ବନ ବିଭାଗ ତରଫରୁ ପାଟ୍ରୋଲିଂ ଓ ଗାଡି ଯାଞ୍ଚ୍‌ କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ସୀମାନ୍ତ ଆନ୍ଧ୍ରପ୍ରଦେଶ ରାଜୁଲକୋଣ୍ଡା ଗ୍ରାମ ନିକଟରେ କରୁଥିବା ବେଳେ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ ଦ୍ରୁତଗତିରେ ଆସୁଥିବା ଦେଖି ଉକ୍ତ ଗାଡିକୁ ଅଟକାଇ ଯାଂଚ କରିଥିଲେ।

ଗାଡିରେ କିଛି ବସ୍ତା ଥିବା ଦେଖିବା ସହ ଉକ୍ତ ବସ୍ତା ଭିତରେ କଇଁଚ ଗୁଡିକ ଥିବା ଦେଖି ଗାଡି ଓ କଇଁଚ ଜବତ କରିବା ସହ ଗଡିରେ ଆସୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତିା ଗିରଫ ଦୁଇଜଣ ମାଲକାନଗିରି ବ୍ଲକ ଏମ୍‌.ଭି.୯୬ ଗ୍ରାମ ନିବାସୀ ପ୍ରଶଂଜିତ ଘରାମୀ, ସନ୍ଦିପ ବେପାରୀ ହୋଇଥିବା ବେଳେ ଗାଡିରେ ମୋଟ ୪୮୯ଟି କଇଁଚ ଥିବା ଜଣାପଡିଛି। ତେବେ ଏହି କଇଁଚଗୁଡିକ ଆନ୍ଧ୍ରପ୍ରଦେଶରୁ ଚୋରା ଚାଲାଣ କରି ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌.ଭି. ୭୨, ଏମ୍‌.ଭି. ୮୮ ପ୍ରଭୃତି ଗ୍ରାମରେ ଖୁଚୁରାରେ ବିକ୍ରି କରିବାକୁ ନେଉଥିବା ଗିରଫ ଆସାମୀମାନେ ପ୍ରକାଶ କରିଥିଲେ। ଆସାମୀଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ଆଜିର ଏହି ଚଢାଉରେ ଚିତ୍ରକୋଣ୍ଡା ରେଂଜ ଅଧିକାରୀ ବଳରାମ ନାୟକ, ଫରେଷ୍ଟର ନିରଞ୍ଜନ ସରକାର, ହରି ହନ୍ତାଳ, ସରୋଜ କୁମାର ଘଡେଇ, ବନରକ୍ଷୀ ରାଜୁ ମାଡକାମି, ଶଶାଙ୍କ ଦାସ, ରାମଚନ୍ଦ୍ର ମାଝୀ, ପ୍ରଭୃତି ଉପସ୍ଥିତ ଥିଲେ।

Share