ଶ୍ରୀନଗର,୧୭।୫: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧରେ ହୋଇଥିବା ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ସୋମବାର ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଶ୍ରୀନଗରର ଖୋନମୋହ ଅଞ୍ଚଳରେ କିଛି ଅଲ୍-ବଦର ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କପକ୍ଷରୁ ଘେରାବନ୍ଦୀ କରାଯାଇଥିଲା। ଏହା ପରେ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ ସେମାନେ ମିଳିତ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିବା କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।