Categories: ଜାତୀୟ

ଏସ୍‌ଆଇଏକୁ ବଡ଼ ସଫଳତା, ଜୈଶ୍‌ର ୧୦ ଓଭର ଗ୍ରାଉଣ୍ଡ ଓ୍ପାର୍କର ଗିରଫ…

ଶ୍ରୀନଗର, ୧୬।୨ : ଜମ୍ମୁ-କଶ୍ମୀରରେ ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସ୍‌ଆଇଏ)କୁ ବଡ଼ ଧରଣର ସଫଳତା ମିଳିଛି। ଦକ୍ଷିଣ ଏବଂ କେନ୍ଦ୍ରୀୟ କଶ୍ମୀର ଅଞ୍ଚଳରେ ଚଢ଼ାଉ ବେଳେ ଜୈଶ୍‌-ଇ-ମହମ୍ମଦ (ଜେଇଏମ)ର ୧୦ଜଣ ଓଭର ଗ୍ରାଉଣ୍ଡ ଓ୍ପାର୍କରଙ୍କୁ ଗିରଫ କରାଯାଇଛି।

ରାତିରେ ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ଏସ୍‌ଆଇଏ ସୂତ୍ରରୁ ପ୍ରକାଶ। ଚଢ଼ାଉ ଜେଇଏମ ନେଟୱାର୍କ ଉପରେ କେନ୍ଦ୍ରୀତ ଥିଲା। ଗିରଫ ହୋଇଥିବା ବ୍ୟକ୍ତି ଓଜିଡବ୍ଲ୍ୟୁ ମଡୂ୍ୟଲର ଅଂଶ ବିଶେଷ ଭାବେ ଜେଇଏମ କମାଣ୍ଡରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଥିଲେ।

ଏହି ମଡ୍ୟୁଲର ସଦସ୍ୟମାନେ ସବ-ମଡ୍ୟୁଲରେ କାର୍ଯ୍ୟ କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରେ ଥିବା ହ୍ୟାଣ୍ଡେଲର୍ସମାନେ ଜମ୍ମୁ-କଶ୍ମୀରରେ ଥିବା ସ୍ଥାନୀୟ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ତେବେ ଭାରତୀୟ ସୁରକ୍ଷା ବାହିନୀଙ୍କ ଦ୍ୱାରା ଆତଙ୍କବାଦୀଙ୍କର ପ୍ରାୟ ସମସ୍ତ ମଡ୍ୟୁଲକୁ ନଷ୍ଟ କରିଦେଇଛନ୍ତି। ଏହା ବ୍ୟତୀତ ସୁରକ୍ଷା ବାହିନୀ ଅନୁପ୍ରବେଶ ଉଦ୍ୟମକୁ ରୋକିବାରେ ମଧ୍ୟ ସଫଳତା ହାସଲ କରିଛନ୍ତି।

ଅପରପକ୍ଷରେ, ଏନକାଉଣ୍ଟର ମାଧ୍ୟମରେ ସ୍ଥାନୀୟ ତଥା କିଛି ବିଦେଶୀ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବାବେଳେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।

Share