ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ବଡ଼ ଅପ୍‌ଡେଟ୍‌: ସବୁ ପରୀକ୍ଷା କେନ୍ଦ୍ରରେ ଲାଗିବ…

ଭୁବନେଶ୍ୱର,୯।୯: ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ଲେଖିଛି । ଏଥିସହ ପୂର୍ବରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଲାଗିଥିବା ସିସିଟିଭି ସବୁ କିଭଳି କାର୍ଯ୍ୟକ୍ଷମ ହେଉଛି ତା’ ରିପୋର୍ଟ ମଧ୍ୟ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

୨୦୨୫ରେ ହେବାକୁ ଥିବା ଯୁକ୍ତ ଦୁଇ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଫାଇନାଲ ପରୀକ୍ଷା ପାଇଁ ହାତରେ ଆଉ ୪ ମାସ ବାକି ରହିଛି। ତା’ପୂର୍ବରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପରୀକ୍ଷା ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ, ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ, ଏକଜାମ ହଲ ସହ ସେଲ୍ଫ ଫାଇନାଲିଂ କଲେଜର ସମସ୍ତ ଲାବରେଟୋରିରେ ମଧ୍ୟ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଶିକ୍ଷାନୁଷ୍ଠାନ ଧାର୍ଯ୍ୟ ସମୟରେ ନିର୍ଦ୍ଦେଶ ଅନୁପାଳନ ନ କରିବେ ସେଠି ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ବାତିଲ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବାକୁ ନିଷ୍ପତ୍ତି ହୋଇଛି।

Share