Categories: ଖେଳ

ବିଶ୍ୱକପ୍‌ରେ ବଡ଼ ଓଲଟପାଲଟ: ପ୍ରଥମ ରାଉଣ୍ଡରୁ ବିଦା ହେଲା ୨ ଥର ବିଶ୍ୱ ଚାମ୍ପିଅନ୍‌ ଓ୍ବେଷ୍ଟଇଣ୍ଡିଜ୍‌

ହୋବାର୍ଟ,୨୧।୧୦: ଟି-୨୦ ବିଶ୍ୱକପର ୧୧ତମ ମ୍ୟାଚରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ହୋବାର୍ଟରେ ଖେଳାଯାଇଥିବା ଏକ  ମ୍ୟାଚରେ ୨ ଥରର ଚାମ୍ପିଅନ୍‌ ୱେଷ୍ଟଇଣ୍ଡିଜକୁ ୯ ଉଇକେଟ୍‌ରେ ପରାସ୍ତ କରିଛି ଆୟାରଲାଣ୍ଡ। ଏହା ସହ ଆୟାରଲାଣ୍ଡ ସୁପର-୧୨ରେ ପ୍ରବେଶ କରିଛି । ଦୁଇଥର ଚାମ୍ପିଅନ ୱେଷ୍ଟଇଣ୍ଡିଜ ପ୍ରଥମ ରାଉଣ୍ଡରେ ଟୁର୍ନାମେଣ୍ଟରୁ ବାଦ ପଡିଛି।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୧୪୬ ରନ୍‌ ସ୍କୋର କରିଥିଲା। ଏହାର ଜବାବରେ ଆୟାରଲାଣ୍ଡ ଦଳ ୧୭.୩ ଓଭରରେ ଗୋଟିଏ ଉଇକେଟ ହରାଇ ୧୫୦ ରନ୍‌ ସ୍କୋର କରି ମ୍ୟାଚ ଜିତିଥିଲା। ଦଳ ପାଇଁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ପଲ ଷ୍ଟିରଲିଂ ୪୮ ବଲରୁ ଅପରାଜିତ ୬୬ ରନ କରିଥିଲେ। ୩୫ ବଲରୁ ୪୫ ରନ୍‌ରେ ଲୋରକାନ ଟକର୍‌ ଅପରାଜିତ ରହିଥିଲେ। କ୍ୟାପଟେନ ଆଣ୍ଡ୍ରିୟୁ ବାଲବର୍ନି ୨୩ ବଲରୁ ୩୭ ରନ ସଂଗ୍ରହ କରିଥିଲେ। ଆୟାଲାଣ୍ଡର ବିଜୟର ପ୍ରକୃତ ହିରୋ ସ୍ପିନର ଗାରେଥ ଡେଲି ଥିଲେ। ସେ ଚାରି ଓଭରରେ ୧୬ ରନ ଦେଇ ୩ଟି ଉଇକେଟ ନେଇଥିଲେ।
ଆଇସିସି ର଼୍ୟାଙ୍କିଙ୍ଗରେ ଆୟାରଲାଣ୍ଡ ଦ୍ୱାଦଶ ସ୍ଥାନରେ ରହିଛି। ଏଥି ସହିତ ୱେଷ୍ଟଇଣ୍ଡିଜ ଦଳ ସପ୍ତମ ସ୍ଥାନରେ ରହିଛି।

Share