Categories: ଖେଳ

ଛତିଶଗଡ଼, ତାମିଲନାଡୁର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୧ା୯(ସରୋଜ ଜେନା): ଭୁବନେଶ୍ୱରରେ ବୁଧବାର ଆରମ୍ଭ ହୋଇଛି ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ ୨୦୨୩। ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା(ଫାଓ) ପକ୍ଷରୁ ଏହି ଟୁର୍ନାମେଣ୍ଟ ମିଳିତ ଭାବରେ ଆୟୋଜନ କରାଯାଇଛି। ପ୍ରଥମ ଦିନରେ ୪ ମ୍ୟାଚ୍‌ ଖେଳା ଯାଇଥିବା ବେଳେ ଛତିଶଗଡ ଓ ତାମିଲନାଡୁ ଦଳ ବଅହତ ବିଜୟ ହାସଲ କରିଛନ୍ତି। କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡା ମୁଖ୍ୟ ଅତିଥି, ପୂର୍ବତନ ଭାରତୀୟ ଫୁଟବଲର ଓଇନାମ ବେମ୍‌ବେମ୍‌ ଦେବୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଫାଓ ଉପସଭାପତି ଦିଲ୍ଲୀପ କୁମାର ସାହୁ, ଫାଓ ଯୁଗ୍ମ ସଚିବ ତଥା ସର୍ବଭାରତୀୟ ଫୁଟବଲ ଫେଡେରେଶନ କାର୍ଯ୍ୟକାରୀ କମିଟି ସଦସ୍ୟ ଅଭିଜିତ ପଲ୍‌, ଯୁଗ୍ମ ସଚିବ ବିଶ୍ୱରଞ୍ଜନ ଘଡେଇ, ସଙ୍ଗୀତା ଶର୍ମା ଓ ଫାଓ ମହିଳା କମିଟି ଚେୟାରମ୍ୟାନ୍‌ ସହଦେବ ରାଉତ ଯୋଗ ଦେଇଥିଲେ।
ପ୍ରଥମ ଦିନରେ ଝାଡଖଣ୍ଡ ୬-୨ ଗୋଲରେ ବେଙ୍ଗଲକୁ, ତାମିଲନାଡୁ ୨୪-୦ରେ ଦାଦ୍ରା ନଗର ଓ ହାବେଳୀକୁ, ଛତିଶଗଡ ୧୯-୦ରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଥିବା ବେଳେ ବିହାର ୪-୪ରେ ମିଜୋରାମ ସହିତ ମ୍ୟାଚ୍‌ ଡ୍ର ରଖିଛି। ଝାଡଖଣ୍ଡ ପକ୍ଷରୁ କାଜଲ କୁମାରୀ(୩ ଓ ୬୮ ମିନିଟ), ଦିବ୍ୟାନି ଲିଣ୍ଡା( ୩୪ ଓ ୭୨ ମିନିଟ) ଦୁଇଟି ଲେଖାଏ ଗୋଲ ସ୍କୋର କରିଥିଲେ। ରୀନା କୁମାରୀ (୧୫ ମିନିଟ) ଅନ୍ୟ ଗୋଲଟି ଦେଇଥିବା ବେଳେ ବେଙ୍ଗଲ ପକ୍ଷରୁ ରାକ୍ଷୀ ମଣ୍ଡଳ ଦୁଇଟି ଯାକ ଗୋଲ ଦେଇଥିଲେ।

ତାମିଲନାଡୁ ପକ୍ଷରୁ କାବ୍ୟା(୯, ୧୭, ୩୦, ୩୬, ୬୨ ମିନିଟ) ୫ ଓ ମୋନିଷା(୫, ୪୪, ୫୦, ୮୫ ମିନିଟ) ୪ଟି ଗୋଲ ଦେଇଥିବା ବେଳେ ଦଳ ୨୪-୦ରେ ବିଜୟୀ ହୋଇଥିଲା। ଛତିଶଗଡ ପକ୍ଷରୁ ବିନ୍ଦୁ ତେଲାମ(୨୮, ୩୪, ୪୨,୪୩, ୭୪ ମିନିଟ)ରେ ୫ ଗୋଲ ଦେଇଥିବା ବେଳେ ଭୂମିକା ଦଓ୍ବୋଙ୍ଗନ, ଦାମିନୀ ସିହ୍ନା ଓ ଭାବନା ସାହୁ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ବିହାର ଓ ମିଜୋରାମ ମଧ୍ୟରେ ଖେଳାଳଯାଇଥିବା ମ୍ୟାଚ୍‌ଟି କଡା ସଂଘର୍ଷପୂର୍ଣ୍ଣ ରହିଥିଲା। ଇଞ୍ଜୁରୀ ଟାଇମରେ ଲାଲସାଙ୍ଗପୁଲି ସାଇଲୋଙ୍କ ଗୋଲ ବଳରେ ମ୍ୟାଚ୍‌ ଡ୍ର କରିବାରେ ସମର୍ଥ ହୋଇଥିଲା ମିଜୋରାମ। ବିହାର ପକ୍ଷରୁ ଅବିବା ପରଓ୍ବିନ(୫ ମିନିଟ), ଆଲିୟା (୭୩ ମିନିଟ) ଓ ଅଧିନାୟିକା ମନୀଷା କୁମାରୀ(୧୮ ଓ ୫୩ ମିନିଟ) ଗୋଲ ଦେଇଥିଲେ। ଅନ୍ୟ ପକ୍ଷରେ ମିଜୋରାମ ପକ୍ଷରୁ ଭନଲାଲରୋହଲୁଇ(୩୦, ୬୨ ମିନିଟ) ଡବଲ ଗୋଲ ଦେଇଥିବା ବେଳେ ଏମି ଲାଲରୁଆସାଙ୍ଗି (୬୨ ମିନିଟ) ଓ ଲାଲସାଙ୍ଗପୁଲି ସାଇଲୋ(୯୦+୨ ମିନିଟ)ରେ ଗୋଟିଏ ଲେଖାଏ ଗୋଲ୍‌ ସ୍କୋର କରିଥିଲେ।

 

Share