Categories: ଖେଳ

ଚଣ୍ଡିଗଡ଼, ବିହାରର ବୃହତ୍‌ ବିଜୟ

ଭୁବନେଶ୍ୱର, ୮।୫ (କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ରବିବାର ଅନୁଷ୍ଠିତ ୪ଟି ମ୍ୟାଚରେ ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼ ଓ ବିହାର ଦଳ ବିଜୟ ହାସଲ କରିଛି। ଦିବସର ପ୍ରଥମ ମ୍ୟାଚରେ ପଞ୍ଜାବ ୮-୦ ଗୋଲରେ ଗୁଜରାଟକୁ ହରାଇ ଦେଇଛି। ପଞ୍ଜାବ ପକ୍ଷରୁ ଶରନ୍‌ଜିତ କୌର ୯ ଓ ୧୫ତମ ମିନିଟରେ ୨ଟି, ହରଜୋତ କୌର ୩୩ ଓ ୫୨ତମ ମିନିଟରେ ୨ଟି ଏବଂ ତନୁ ରାଣୀ ୨୮, ହରପ୍ରୀତ କୌର ୩୩, ଖୁସ୍‌ବୁ ୫୯ ଓ ସାନା ୫୬ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଦ୍ୱିତୀୟ ମ୍ୟାଚରେ ଆନ୍ଧ୍ର ପ୍ରଦେଶ ୬-୪ ଗୋଲରେ ମଣିପୁରକୁ ହରାଇଛି। ଆନ୍ଧ୍ର ପକ୍ଷରୁ କୁପ୍ପା ତୁଲସି ୧, ୭, ୧୮ ଓ ୪୮ତମ ମିନିଟରେ ଏକାକୀ ୪ଟି ଏବଂ ରଗୁଲା ନାଗାମନି ୬ ଓ ୩୮ତମ ମିନିଟରେ ୨ଟି ଗୋଲ ଦେଇଥିଲେ। ମଣିପୁରର ଏଲ୍‌. ନାତାଲି ଚାନୁ ୪୦ ଓ ୫୮ ଏବଂ ଅଧିନାୟିକା ପ୍ରୀୟା ଦେବୀ ୫୦ ଓ ୫୨ତମ ମିନିଟରେ ୨ଟି ଲେଘାଏ ଗୋଲ ପରିଶୋଧ କରିଥିଲେ। ଅନ୍ୟ ଏକ ମ୍ୟାଚରେ ଚଣ୍ଡିଗଡ଼ ୧୩-୦ ଗୋଲରେ ତେଲେଙ୍ଗାନାକୁ ପରାସ୍ତ କରିଛି। ଦଳ ପକ୍ଷରୁ ସୁପ୍ରିୟା ୧୩, ୧୪, ୧୯, ୪୮ ଓ ୬୦ତମ ମିନିଟରେ ଏକାକୀ ୫ଟି, ତମନ୍ନା ୧ମ, ୩୨ ଓ ୪୧ତମ ମିନିଟରେ ୩ଟି, ପୂଜା ୩୮, ୪୫ ଓ ୫୭ତମ ମିନିଟରେ ୩ଟି ଲେଖାଏ ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିବାବେଳେ ଅଧିନାୟିକା ଅଞ୍ଜଳି ୧୫ ଓ ୪୪ତମ ମିନିଟରେ ୨ଟି ଗୋଲ ଦେଇଥିଲେ। ଚତୁର୍ଥ ମ୍ୟାଚରେ ବିହାର ୧୪-୧ ଗୋଲରେ ଗୋଆକୁ ହରାଇ ଦେଇଛି। ଅଧିନାୟିକା ୨, ୪, ୬, ୨୦, ୨୧, ୫୨ ଓ ୬୦ତମ ମିନିଟରେ ଏକାକୀ ୭ଟି ଗୋଲ ଦେଇଥିଲେ। ରିଶୁ କୁମାରୀ ୧୪, ୨୪, ୫୪ ଓ ୫୯ତମ ମିନିଟରେ ୪ଟି ଏବଂ ଶାରଦା କୁମାରୀ ୧୮, ଆକାଂକ୍ଷା ଯାଦବ ୩୯ ଓ ନିଜିୟା ଖାତୁନ ୪୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଗୋଆ ଦଳରୁ ସାଲୋନି ଶ୍ରୀକାନ୍ତ ଗାଓ୍ବାସ ୪୭ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ।

Share