Categories: ଖେଳ

ହରିୟାଣାର ବୃହତ୍‌ ବିଜୟ, ହାରିଲା ଓଡ଼ିଶା

ଭୁବନେଶ୍ୱର,୨୪ା୯(ସରୋଜ ଜେନା): ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା(ଫାଓ) ପକ୍ଷରୁ ଅନୁଷ୍ଠିତ ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ ୨୦୨୩ରେ ଶନିବାର ବୃହତ ବିଜୟ ହାସଲ କରିଛି ହରିୟାଣା। ଅନ୍ୟ ଦଳମାନଙ୍କ ମଧ୍ୟରେ ମଣିପୁର, ଅରୁଣାଚଳ ପ୍ରଦେଶ ଓ କେରଳ ମଧ୍ୟ ବିଜୟ ହାସଲ କରିଛନ୍ତି। ସପ୍ତମ ବାଟାଲିୟନରେ ଅନୁଷ୍ଠିତ ମ୍ୟାଚରେ ହରିୟାଣା ୧୪-୦ ଗୋଲରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ବିପାଂଶି(୧, ୪୫+୩, ୫୩, ୬୧ ଓ ୬୬) ମିନିଟରେ ୫ଟି ଗୋଲ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟିକା ମୁସ୍କାନ(୪୧, ୯୦+୧) ମିନିଟ, ଶ୍ୱେତା ରାଣୀ(୩୪, ୩୫) ମିନିଟ ଓ ରିତିକା(୮୮, ୯୦+୩) ମିନିଟରେ ଦୁଇଟି ଲେଖାଏ ଗୋଲ ସ୍କୋର କରିଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଓଡ଼ିଶାକୁ ୩-୧ ଗୋଲରେ ପରାସ୍ତ କରିଛି ଅରୁଣାଚଳ ପ୍ରଦେଶ। ୫୮ ତମ ମିନିଟରେ ରୂପଶ୍ରୀ ମୁଣ୍ଡାଙ୍କ ଗୋଲରେ ଓଡ଼ିଶା ଅଗ୍ରଣୀ ହାସଲ କରିଥିଲା। ମ୍ୟାଚ୍‌ରୁ ଶେଷ ୧୦ ମିନିଟରେ ୩ ଗୋଲ ସ୍କୋର କରି ଅରୁଣାଚଳ ମ୍ୟାଚ୍‌ ଛଡାଇ ନେଇଥିଲା। ଲିଙ୍ଗଡମ୍‌ ୟାରେ(୮୨ ମିନିଟ), ଗୁନାଇଲୁ ଟାଓ୍ବସିକ୍‌(୮୫ ମିନିଟ) ଓ ୟୁମଲମ୍‌ ଲାଲି(୯୦ ମିନିଟ)ରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ନାମେଇରାକାପମ ଆରିନା ଦେବୀଙ୍କ ଡବଲ ଗୋଲ ବଳରେ ମଣିପୁର ୨-୧ଗୋଲରେ ଦିଲ୍ଲୀକୁ ପରାସ୍ତ କରିଛି। ଆରିନା ମ୍ୟାଚ୍‌ର ୫୫ ଓ ୭୦ ମିନିଟରେ ଦୁଇଟି ଗୋଲ ଦେଇଥିଲେ। ଇଞ୍ଜୁରୀ ଟାଇମରେ ୯୦+୫ ମିନିଟରେ ଦିଲ୍ଲୀ ପକ୍ଷରୁ ବାଣୀ କାଲୁଚା ଗୋଟିଏ ଗୋଲ ପରିଶୋଧ କରିଥିଲେ। ଭାଗ୍ୟ ବିନୋଦଙ୍କ ଗୋଲ ବଳରେ କେରଳ ୧-୦ ଗୋଲରେ ଗୁଜରାଟକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିବା ବେଳେ ମ୍ୟାଚର ୮୧ ତମ ମିନିଟରେ ନିର୍ଣ୍ଣାୟକ ଗୋଲ୍‌ଟି ଦେଇଥିଲେ ଭାଗ୍ୟ ବିନୋଦ।

Share