Categories: ଖେଳ

କଟକ ‘ଏ’, ଢେଙ୍କାନାଳ, କେନ୍ଦୁଝରର ବୃହତ୍‌ ବିଜୟ

ଭୁବନେଶ୍ୱର, ୫।୪ (କ୍ରୀଡ଼ା ପ୍ରତିନିଧି): ଚଳିତ କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ବି ଓ ଗୋଲ୍ଡ-ବି ଗ୍ରୁପ୍‌ର ୬ଟି ମ୍ୟାଚ ମଙ୍ଗଳବାର କଟକର ବିଭିନ୍ନ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ-ଏ’ ୧୦ ଉଇକେଟରେ ବିଜୟୀ ହୋଇଥିବାବେଳେ ଢେଙ୍କାନାଳ, କେନ୍ଦୁଝର, ରାଉରକେଲା ଓ ମୟୂରଭଞ୍ଜ ବୃହତ୍‌ ବିଜୟ ହାସଲ କରିଛନ୍ତି। ଝାରସୁଗୁଡ଼ା ଦଳ ମାତ୍ର ୧ ଉଇକେଟରେ ରୋମାଞ୍ଚକ ବିଜୟ ହାସଲ କରିଛି। ରାଉରକେଲାର ରଣଜିତ ସିଂ ଓ କେନ୍ଦୁଝରର ପଙ୍କଜ ସେନାପତି ଶତକ ହାସଲ କରିଥିବାବେଳେ କେନ୍ଦୁଝରର ସୁଜିତ କୁମାର ବାରିକ ୭ ଓ ଢେଙ୍କାନାଳର ବିକାଶ କୁମାର ରାଉତ ୫ ଉଇକେଟ ସଫଳତା ପାଇଛନ୍ତି।
ଅଡ଼ଶପୁର ଗ୍ରାଉଣ୍ଡ: କଟକ-ଏ’ ୧୦ ଉଇକେଟରେ ବାଲେଶ୍ୱରକୁ ହରାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଲେଶ୍ୱର ୪୩.୧ ଓଭରରେ ୧୪୦ ରନକରି ଅଲ୍‌ଆଉଟ ହୋଇଥିଲା। ଜବାବରେ କଟକ-ଏ ୩୦.୩ ଓଭରରେ କୌଣସି ଉଇକେଟ ନ ହରାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରି ଯାଇଥିଲା। ବିଶ୍ୱସ୍ବାଗତ ଏମ୍‌. ୭୪ ଓ ରାମଚନ୍ଦ୍ର ବେହେରା ୭୨ ରନରେ ଅପରାଜିତ ରହିଥିଲେ।
ଏମ୍‌ଜିଏମ୍‌ ଏସ୍‌ଓଏସ୍‌ ଗ୍ରାଉଣ୍ଡ: ଝାରସୁଗୁଡ଼ା ୧ ଉଇକେଟରେ ଯାଜପୁରକୁ ପରାସ୍ତ କଲା। ବ୍ୟାଟିଂ ଆମନ୍ତ୍ରଣ ପାଇ ଯାଜପୁର ୪୭.୩ ଓଭରରେ ୧୯୪ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଜବାବରେ ଝାରସୁଗୁଡ଼ା ୪୯.୪ ଓଭରରେ ୯ ଉଇକେଟ ହରାଇ ୧୯୬ ରନରେ ପହଞ୍ଚତ୍ଥିଲା।
ଡ୍ରିମ୍ସ ଗ୍ରାଉଣ୍ଡ: ରାଉରକେଲା ୧୫୨ ରନରେ ଭୁବନେଶ୍ୱର-ବି’କୁ ହରାଇଲା। ରାଉରକେଲା ଦଳ ୫୦ ଓଭରରେ ୮ ଉଇକେଟ ହରାଇ ୨୪୯ ରନ କରିଥିଲା। ଦଳ ପକ୍ଷରୁ ରଞ୍ଜିତ ସିଂ ୧୪୯ ବଲ୍‌ରୁ ୧୬୫ ରନକରି ଅପରାଜିତ ରହିଥିଲେ। ଜବାବରେ ଭୁବନେଶ୍ୱର-ବି ୩୧.୪ ଓଭରରେ ମାତ୍ର ୯୭ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା।
ରେଭେନ୍ସା ଗ୍ରାଉଣ୍ଡ-୧: ମୟୂରଭଞ୍ଜ ୧୪୧ ରନରେ ପୁରୀକୁ ପରାସ୍ତ କଲା। ମୟୂରଭଞ୍ଜ ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୩୧ ରନ କରିଥିଲା। ଦଳ ପକ୍ଷରୁ ଅଭିଜ୍ଞାନ ସର୍ବାଧିକ ୮୬ ରନ କରିଥିଲେ। ପୁରୀ ଦଳ ୨୯ ଓଭରରେ ମାତ୍ର ୯୦ ରନରେ ସମସ୍ତ ଉଇକେଟ ହରାଇଥିଲା। ବିଜୟୀ ଦଳର ମୋହିତ କଙ୍କରିଆ ୪ ଉଇକେଟ ନେଇଥିଲେ।
ରେଭେନ୍ସା ଗ୍ରାଉଣ୍ଡ-୨: ଢେଙ୍କାନାଳ ୨୧୨ ରନରେ ନୟାଗଡ଼କୁ ହରାଇଲା। ପ୍ରଥମେ ବ୍ୟାଟିଂ କରିଥିବା ଢେଙ୍କାନାଳ ୫୦ ଓଭରରେ ୮ ଉଇକେଟ ହରାଇ ୨୯୭ ରନ କରିଥିଲା। ଦଳ ପକ୍ଷରୁ ମୃତ୍ୟୁଞ୍ଜୟ ସର୍ବାଧିକ ୯୧ ରନକରି ଅପରାଜିତ ରହିଥିଲେ। ଜବାବରେ ନୟାଗଡ଼ ୨୨.୩ ଓଭରରେ ମାତ୍ର ୮୫ ରନରେ ଅଲ୍‌ଆଉଟ ହୋଇଯାଇଥିଲା। ଢେଙ୍କାନାଳ ଦଳର ବିକାଶ କୁମାର ରାଉତ ମାତ୍ର ୧୭ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ।
ସନ୍‌ସାଇନ୍‌ ଗ୍ରାଉଣ୍ଡ: କେନ୍ଦୁଝର ୧୮୨ ରନରେ ଜଗତ୍‌ସିଂହପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କେନ୍ଦୁଝର ୫୦ ଓଭରରେ ୬ ଉଇକେଟ ହରାଇ ୩୨୨ ରନ କରିଥିଲା। ଦଳ ପକ୍ଷରୁ ପଙ୍କଜ ସେନାପତି ୧୦୭ ବଲ୍‌ରୁ ୧୩୯ ଓ ସୁଧାଂଶୁ ୯୨ ରନର ଇନିଂସ ଖେଳିଥିଲେ। ଜବାବରେ ଜଗତ୍‌ସିଂହପୁର ୨୪ ଓଭରରେ ୧୪୦ ରନରେ ସମସ୍ତ ଉଇକେଟ ହରାଇଥିଲା। କେନ୍ଦୁଝରର ସୁଜିତ କୁମାର ବାରିକ ୨୯ ରନ ବିନିମୟରେ ୭ ଉଇକେଟ ସଫଳତା ପାଇଥିଲେ।

Share