Categories: ଖେଳ

ଜୁନିୟର ଦଳର ବୃହତ ବିଜୟ

ଭୁବନେଶ୍ୱର,୨୭ା୧୨(ସ୍ପୋଟର୍‌ସ ବ୍ୟୁରୋ): ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଜୁନିୟର ହକି ଦଳ କୋରିଆ ବିପକ୍ଷରେ ବୃହତ ବିଜୟ ହାସଲ କରିଛି। ଅଧିନାୟକ ଉତ୍ତମ ସିଂ(୪୦ ଓ ୫୭), ଶାରଦା ନନ୍ଦ ତିଓ୍ବାରୀ (୬ ଓ ୪୬) ଓ ବବି ସିଂ ଧାମୀ(୧୫ ଓ ୧୮ ମିନିଟ) ଡବଲ ଗୋଲ ସ୍କୋର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସି.ବି. ପୁଭାନ୍ନା, ଅଲୀ ଅମିର୍‌, ଅମନଦୀପ୍‌, ଆଦିତ୍ୟ ଲାଲାଗେ ଓ ରାଜିନ୍ଦର ସିଂ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। କୋରିଆ ଜୁନିୟର ଦଳ ପକ୍ଷରୁ ପାର୍କ ହ୍ୟୁନ୍‌ ଓ ଲିମ୍‌ ଡୋ ହ୍ୟୁନ୍‌ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପ୍ରଥମ ଓ ତୃତୀୟ କ୍ୱାର୍ଟରରେ ଭାରତ ଦୁଇଟି ଲେଖାଏ ଗୋଲ ସ୍କୋର କରିଥିଲା। ସେହିପରି ଦ୍ୱିତୀୟ କ୍ୱାର୍ଟରରେ ଦଳ ୩ଟି ଓ ଚତୁର୍ଥ କ୍ୱାର୍ଟରରେ ୪ଟି ଗୋଲ ଦେଇଥିଲା। ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟରେ ପେନାଲ୍ଟି କର୍ନରରୁ କୋରିଆ ଦଳ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ। ଏହି ମ୍ୟାଚରେ ଓଡ଼ିଆ ଅଫିସିଆଲ ମାନେ ମ୍ୟାଚ ପରିଚାଳନା କରିଥିଲେ। ଗୌଡା ପ୍ରିୟେଶ ଓ ରାଜକୁମାର ଝା ଅମ୍ପାୟାର ଦାୟିତ୍ୱରେ ରହିଥିବା ବେଳେ ବିଶ୍ୱରଞ୍ଜନ ଷଡଙ୍ଗୀ ଓ ପ୍ରଫୁଲ ତୀର୍କି ବିଚାରକ, ନିଶାନ ଜ୍ୟୋତି ମହାନ୍ତି ବୈଷୟିକ ଅଫିସରଓ ରାଜେନ ଏକ୍କା ରିଜର୍ଭ ଅମ୍ପାୟାର ରହିଥିଲେ।

Share