Categories: ଖେଳ

ରଗବୀରେ ଓଡ଼ିଶା ମହିଳା ଦଳର ବୃହତ ବିଜୟ

ଅହମ୍ମଦାବାଦ,୨୯ା୯(ପି.ଟି.): ବୁଧବାର ଠାରୁ ଗୁଜରାଟରେ ଆରମ୍ଭ ହୋଇଛି ୩୬ ତମ ଜାତୀୟ କ୍ରୀଡା। ଜାତୀୟ କ୍ରୀଡାର ପ୍ରଥମ ଦିନରେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜେତା ନୟନମୋନି ସାଇକିଆ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ରଗବୀ ୭ଏସରେ ଏକପାଖିଆ ବିଜୟ ହାସଲ କରିଛି ଓଡ଼ିଶା ମହିଳା ଦଳ। ଲନ୍‌ ବୋଲ୍ସରେ ନୟନମୋନି ଦୁଇଟି ସିଙ୍ଗଲ୍ସ ଓ ଗୋଟିଏ ଟିମ୍‌ ମ୍ୟାଚ ଜିତିବାରେ ସମର୍ଥ ହୋଇଛନ୍ତି। କେନ୍ସଭିଲ ଗଲ୍ଫ ଓ କଣ୍ଟ୍ରି କ୍ଲବରେଏହି ମ୍ୟାଚ ଖେଳା ଯାଇଥିବା ବେଳେ ସିଙ୍ଗଲ୍ସ ବର୍ଗରେ ନୟନମୋନି ଗୁଜରାଟର ବୈଶାଳୀ ମକଭାନାଙ୍କୁ ୨୩-୦ରେ ଓ ପଶ୍ଚିମ ବଙ୍ଗର ବୀଣା ଶାହଙ୍କୁ ୨୧-୧୦ରେ ପରାସ୍ତ କରିଥିଲେ। ଏହା ପରେ ଲନ ବୋଲ୍ସରେ ଫୋର କମ୍ପିଟେସନରେ ଆସାମ ପକ୍ଷରୁ ଖେଳିଥିଲେ ସାଇକିଆ। ଏହି ମ୍ୟାଚରେ ଆସାମ ୩୩-୩ରେ ବିଜୟୀ ହୋଇଥିଲା। ସେହିପରି ନେଟବଲ୍‌ରେ ସେମି ଫାଇନାଲରେ ପ୍ରବେଶ କରିଛି ଗୁଜରାଟ। ଗ୍ରୁପ ଏରେ ପଞ୍ଜାବ ଦଳକୁ ୫୭-୩୩ରେ ପରାସ୍ତ କରି ଗୁଜରାଟ ସେମିରେ ପ୍ରବେଶ କରିଛି। ସେମିରେ ଗୁଜରାଟ ଗ୍ରୁପ ବି ଟପ୍ପରକୁ ଭେଟିବ। ଅନ୍ୟ ସେମିଫାଇନାଲଟି ଗ୍ରୁପ ଏ ଟପ୍ପର ହରିଆଣା ଖେଳିବ।

ଇକେଏ ଟ୍ରାନ୍ସଷ୍ଟାଡିଆରେ ଖେଳା ଯାଉଥିବା ରଗବୀ ୭ଏସ୍‌ ପୁରୁଷ ମୁକାବିଲାରେ ସେମି ଫାଇନାଲ ବର୍ଥ ସୁରକ୍ଷିତ କରିଛନ୍ତି ଦିଲ୍ଲୀ ଓ ପଶ୍ଚିମବଙ୍ଗ। ଦିଲ୍ଳୀ ୨୬-୦ରେ ପଞ୍ଜାବ ଓ ୧୪-୧୦ରେ ଓଡ଼ିଶାକୁ ହରାଇଥିଲା। ସେହିପରି ପଶ୍ଚିମବଙ୍ଗ ୨୪-୭ ଓ ୨୨-୧୨ ପଏଣ୍ଟରେ ଯଥାକ୍ରମେ ଓଡ଼ିଶା ଓ ପଞ୍ଜାବକୁ ହରାଇଥିଲା। ରଗବୀ ୭ଏସ୍‌ ମହିଳା ବର୍ଗରେ ଗ୍ରୁପ ବିରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ଓ ଓଡ଼ିଶା। ପଶ୍ଚିମବଙ୍ଗ ୨୯-୫ରେ ଚଣ୍ଡୀଗଡକୁ ହରାଇଥିବା ବେଳେ କେରଳକୁ ୬୪-୦ରେ ଏକପାଖିଆ ଭାବରେ ପରାସ୍ତ କରିଥିଳଲା ଓଡ଼ିଶା। ଗ୍ରୁପ ଏରେ ହରିଆଣା ୨୮-୦ରେ ଗୁଜରାଟକୁ,ମହାରାଷ୍ଟ୍ର ୧୯-୧୦ରେ ଦିଲ୍ଲୀକୁ ଓ ବିହାର ୪୪-୦ରେ ଘରୋଇ ଦଳକୁ ପରାସ୍ତ କରିଥିଲା। ସେହିପର ସର୍ଭିସେସ ଓ ମହାରାଷ୍ଟ୍ର ମଧ୍ୟରେ ମ୍ୟାଚ ୧୪-୧୪ରେ ଡ୍ର ରହିଥିଲା।

ଆଜିଠୁ ଶୁଟିଂ ପ୍ରତିଯୋଗିତା: ଗୁରୁବାର ଠାରୁ ସ୍ଥାନୀୟ ରାଇଫଲ୍‌ କ୍ଲବରେ ଶୁଟିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୨୫ ମିଟର ରାପିଡ୍‌ ଫାୟାର ପିସ୍ତଲ ବର୍ଗରେ ପ୍ରଥମ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହେବାକୁ ଯାଉଛି। ହରିଆଣାର ଅନୀଷ ଭନଓ୍ବାଲା, ପଞ୍ଜାବର ବିଜୟବୀର ସିଦ୍ଧୁ, ୨୦୧୨ ଅଲିମ୍ପିକ୍ସ ପଦକ ବିଜେତା ହିମାଚଳ ପ୍ରଦେଶର ବିଜୟ କୁମାର ଓ ସର୍ଭିସେସର ଗୁରପ୍ରୀତ ସିଂଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।

 

Share