Categories: ଖେଳ

ନେପାଳ ବିପକ୍ଷରେ ପାକିସ୍ତାନର ବୃହତ୍‌ ବିଜୟ

ମୁଲତାନ,୩୧ା୮(ପି.ଟି.): ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ନେପାଳକୁ ୨୩୮ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ୧୫୧ ଓ ଇଫତିଖାର ଅହମଦଙ୍କ ୧୦୯ ରନ୍‌ ବଳରେ ୬ ଉଇକେଟରେ ୩୪୨ ରନ୍‌ କରିଥିଲା। ଜବାବରେ ନେପାଳ ୨୩.୪ ଓଭରରେ ୧୦୪ ରନ୍‌ କରି ଅଲଆଉଟ ହୋଇ ଯାଇଥିଲା।

ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ଫଖର ଜମନ (୧୪) ଓ ଇମାମ ଉଲ ହକ୍‌(୫) ପ୍ରଥମ ଉଇକେଟରେ ୨୧ ରନ୍‌ ଯୋଡିଥିଲେ। ତେବେ ମାତ୍ର ୪ ରନ୍‌ ବ୍ୟବଧାନରେ ଉଭୟ ଓପନର ପ୍ୟାଭିଲିୟନ ଫେରିଥିଲେ। ମହମ୍ମଦ ରିଜଓ୍ବାନ ୪୪ ରନ ଏବଂ ବ୍ୟାଟିଂ ପଦୋନ୍ନତି ପାଇଥିବା ଆଘା ସଲମାନ(୫) ବିଫଳ ହେବାରୁ ପାକିସ୍ତାନ ୧୨୩ ରନ୍‌ରେ ୪ ଉଇକେଟ ହରାଇଥିଲା। ଦିନିକିଆ କ୍ରିକେଟରେ ୧୯ ତମ ଶତକ ହାସଲ କରିଥିବା ଅଧିନାୟକ ବାବର ଆଜମ ୧୫୧ ରନ୍‌ କରିବା ସହ ଇଫତିଖାର ଅହମଦଙ୍କ ସହିତ ୨୧୪ ରନ୍‌ର ଭାଗୀଦାରି କରିଥିଲେ। ୧୩୧ ବଲ୍‌ର ସମ୍ମୁଖୀନ ହୋଇଥିବା ବାବର ୧୪ ଚୌକା ଓ ୪ ଛକା ମାରି ଶେଷ ଓଭରରେ ଆଉଟ ହୋଇଥିଲେ। ଅନ୍ୟ ପକ୍ଷରେ ଅପରାଜିତ ୧୦୯ ରନ୍‌ କରିଥିବା ଇଫତିଖାର ୬୭ ବଲରେ ନିଜର ଶତକ ପୂରଣ କରିଥିଲେ। ଦିନିକିଆରେ ଏହା ତାଙ୍କର ପ୍ରଥମ ଶତକ। ଉଭୟ ଖେଳାଳି ୧୩୧ ବଲ୍‌ର ସମ୍ମୁଖୀନ ହୋଇ ୨୧୪ ରନ ଯୋଡିବା ସହିତ ନେପାଳ ହାତରୁ ମ୍ୟାଚ ଛଡାଇ ନେଇଥିଲେ। ନେପାଳ ପକ୍ଷରୁ ସୋମପାଲ କାମି ସର୍ବାଧିକୁ ୨ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ ଲାମିଚାନେ ଓ କରନ୍‌ କେସି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୩୪୩ ରନ୍‌ ଜବାବରେ ନେପାଳର ଆରମ୍ଭ ଅତ୍ୟନ୍ତ ଦୟନୀୟ ରହିଥିଲା। ଶାହିନ୍‌ ଆଫ୍ରିଦି ଓ ନଶିମ୍‌ ଶାହା ଘାତକ ବୋଲିଂ କରିବାରୁ ନେପାଳ ୧୪ ରନରେ ୩ ଉଇକେଟ ହରାଇଥିଲା। ପରେ ହାରିଶ ରୌଫ୍‌ ୨ ଓ ଶଦାବ ଖାନ ୪ ଉଇକେଟ ନେବାରୁ ନେପାଳ ୧୦୪ ରନ୍‌ରେ ଅଲଆଉଟ ହୋଇଥିଲା।

ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ୫୦ ଓଭରରେ ୩୪୨/୬ (ବାବର ଆଜମ୍‌-୧୫୧, ଇଫତିଖାର ଅହମଦ-୧୦୯*, ମହମ୍ମଦ ରିଜଓ୍ବାନ-୪୪, ସୋମପାଲ କାମି-୨/୮୫, କରଣ କେସି-୧/୫୪, ସନ୍ଦୀପ ଲାମିଚାନେ-୧/୬୯)।
ନେପାଳ ୨୩.୪ ଓଭରରେ ୧୦୪/୧୦ (ସୋମପାଲ କାମି-୨୮, ଆରିଫ୍‌ ଶେଖ୍‌-୨୬, ଗୁଲଶନ ଝା-୧୩, ଶଦାବ୍‌ ଖାନ୍‌-୪/୨୭, ହରିଶ୍‌ ରୌଫ୍‌-୨/୧୬, ଶାହିନ୍‌ ଆଫ୍ରିଦି-୨/୨୭)।

Share