Categories: ଖେଳ

ପଞ୍ଜାବ, ଦିଲ୍ଲୀର ବୃହତ୍‌ ବିଜୟ

ରାଉରକେଲା ଅଫିସ,୧୪।୬ (ଦୀନେଶ ମିଶ୍ର)
ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ତ୍ରୟୋଦଶ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନରେ ୫ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ଦଳ ୧୮-୦ ଗୋଲରେ ମିଜୋରାମ ଦଳକୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ଦିଲରାଜ ସିଂ ୫, ୯, ୨୩, ୩୪, ୪୭, ୫୯ ମିନିଟ୍‌ରେ ସର୍ବାଧିକ ୬ଟି ଗୋଲ କରିଥିଲେ। ମନମିତ୍‌ ସିଂ ୧୧, ୨୦ ମିନିଟ୍‌ରେ ଦୁଇଟି ଏବଂ ଅଶ୍ରଦୀପ ସିଂ, ହରପ୍ରୀତ ସିଂ, ରବନିତ୍‌ ସିଂ, ଅଧିନାୟକ ଜଶବିନ୍ଦର ସିଂ, ରାଜେନ୍ଦ୍ର ସିଂ, ଗୁରପିତ ସିଂ, ୟାଦବିର ମଲ, ସଞ୍ଜୟ କୁମାର, ଉଭଲ ସିଂ ଗୋଟିଏ ଲେଖାଏ ଗୋଲ ମାରି ଦଳକୁ ବିଜୟୀ କରିଥିଲେ। ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ ଦଳ ଆସାମକୁ ୧୬-୧ ଗୋଲରେ ହରାଇ ଦେଇଛି। ଦିଲ୍ଲୀ ଦଳ ପକ୍ଷରୁ ପ୍ରଦୀପ ୨୦, ୪୬, ୫୦ ମିନିଟରେ ଓ ଯୋଗେମ୍ବର ରାୱତ ୨୯, ୩୫, ୪୦ ମିନିଟ୍‌ରେ ଉଭୟ ହ୍ୟାଟ୍ରିକ ୩ଟି ଗୋଲ ମାରିଥିଲେ। ନିତିନ ୮, ୪୭ ମିନିଟ୍‌ରେ ଦୁଇଟି, ପଙ୍କଜ ୧୪, ୨୧ ମିନିଟରେ ୨ଟି ଓ ନିତେଶ ୧୯, ୨୩ ମିନିଟ୍‌ରେ ଦୁଇଟି ଗୋଲ ଦେଇଥିଲେ। ବିକାଶ ଉପାଧ୍ୟାୟ, ଅମନ ଶର୍ମା ଗୋଟିଏ ଲେଖାଏ ଏବଂ ରାହୁଲ ୨୭ ଓ ୩୭ ମିନିଟରେ ୨ଟି ଗୋଲ ଦେଇଥିଲେ। ଆସାମ ପକ୍ଷରୁ ରିଙ୍କୁ ବର୍ମା ୧୨ ମିନିଟ୍‌ରେ ଗୋଟିଏ ଗୋଲ କରିଥିଲେ। ଅନ୍ୟ ୩ଟି ମ୍ୟାଚରେ ବିହାର ୭-୧ରେ ବେଙ୍ଗଲକୁ, ମହାରାଷ୍ଟ୍ର ୫-୧ରେ ତେଲଙ୍ଗାନାକୁ ଏବଂ ଦାଦ୍ରାରାନଗର ହାବେଳି ୫-୦ ଗୋଲରେ ତ୍ରିପୁରାକୁ ପରାସ୍ତ କରିଛି।

Share