Categories: ଖେଳ

ଜାଏଣ୍ଟ୍ସ ବିପକ୍ଷରେ ପାଇରେଟ୍ସର ବୃହତ୍‌ ବିଜୟ

ପୁଣେ, ୩୧ା୧୦ :ପ୍ରୋ-କବାଡ଼ି ଲିଗ୍‌ରେ ସଚିନଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ସହାୟତାରେ ପାଟ୍‌ନା ପାଇରେଟ୍ସ ୩୪-୨୮ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। ବାଲଓ୍ବୋଡିସ୍ଥିତ ଶ୍ରୀ ଶିବଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ସଚିନ ପାଟ୍‌ନା ଦଳର ଶ୍ରେଷ୍ଠ ଖେଳାଳି ଥିଲେ। ସେ ୧୩ପଏଣ୍ଟ ସ୍କୋର କରିଥିଲେ। ସାଥୀ ଖେଳାଳି ରୋହିତ ଗୁଲିଆଙ୍କଠାରୁ ତାଙ୍କୁ ଉପଯୁକ୍ତ ସହାୟତା ମିଳିଥିଲା। ଖେଳର ୧୦ତମ ମିନିଟ୍‌ରେ ଏକ ଅଲ୍‌ ଆଉଟ୍‌ ଯୋଗୁ ପାଟ୍‌ନା ଦଳ ୧୦-୫ରେ ଅଗ୍ରଣୀ ଲାଭ କରିଥିଲା। ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରତୀକ ଧଇୟାଙ୍କ ଏକ ସୁପର ରେଡ୍‌ ବଳରେ ଜାଏଣ୍ଟ୍ସ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ମାତ୍ର ରୋହିତ ରେଡ୍‌ ପଏଣ୍ଟ ଜାରି ରଖିବାରୁ ପାଟ୍‌ନା ୧୫-୯ ସ୍କୋର ଲାଇନ୍‌ରେ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇ ଆସିଥିଲା। ୧୬ତମ ମିନିଟ୍‌ରେ ସଚିନଙ୍କ ଏକାଧିକ ରେଡ୍‌ ପଏଣ୍ଟ ଯୋଗୁ ପାଟଣାର ଅଗ୍ରଣୀ ବ୍ୟବଧାନ ବୃଦ୍ଧି ପାଇଥିଲା। ପ୍ରଥମାର୍ଦ୍ଧ ପୂର୍ବରୁ ପାଇରେଟ୍ସ ବିପକ୍ଷ ଦଳକୁ ଆଉଥରେ ଅଲ୍‌ ଆଉଟ କରିଦେବା ଦ୍ୱାରା ୨୧-୧୩ରେ ଅଗ୍ରଣୀ ଲାଭ କରିଥିଲା। ଦ୍ୱିତୀୟାର୍ଦ୍ଧରେ ଗୁଲିଆ ତାଙ୍କ ଫର୍ମ ଜାରି ରଖିଥିଲେ। ଅଧିନାୟକ ନୀରଜ କୁମାରଙ୍କ ନେତୃତ୍ୱରେ ଡିଫେନ୍ସ ୟୁନିଟ୍‌ର ରେଡରମାନଙ୍କୁ ସହାୟତା କରିବା ଦ୍ୱାରା ପାଇରେଟ୍ସ ଆଗେଇ ଚାଲିଥିଲା। ଗୁଜରାଟର ରାକେଶଙ୍କ ଦୁଇଟି ଚମତ୍କାର ରେଡ୍‌ ସତ୍ତ୍ୱେ ତାଙ୍କ ଦଳ ପାଟଣାକୁ ରୋକିବାରେ ସମର୍ଥ ନ ଥିଲା। ୩୮ତମ ମିନିଟ୍‌ରେ ଜାଏଣ୍ଟ୍ସ ମ୍ୟାଟ୍‌ରେ ପାଇରେଟ୍ସ ସଦସ୍ୟ ସଂଖ୍ୟା ୩ କୁ ହ୍ରାସ କରି ଦେଇଥିଲା। ମାତ୍ର ସଚିନ ଜବରଦନ୍ତ ରେଡ୍‌ କରି ତାଙ୍କ ଦଳକୁ ଆଗୁଆ ରଖିଥିଲେ। ମ୍ୟାଚର ଶେଷ ମିନିଟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରି ପାଟ୍‌ନା ଦଳ ବୃହତ୍‌ ବିଜୟ ହାସଲ କରିଥିଲା।

Share