Categories: ଖେଳ

ଇତିହାସ ରଚିଲା ଜିମ୍ବାଓ୍ବେ, ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ…

ଟାଉନ୍ସଭିଲ୍‌, ୩।୯: ଇତିହାସ ରଚିଛି ଜିମ୍ବାଓ୍ବେ। ଶନିବାର ଦଳ ପାଇଁ ଏକ ଐତିହାସିକ ଦିନ ବୋଲି କହିଲେ ଭୁଲ ହେବ ନାହିଁ। କାରଣ ଏହି ଦିନ କ୍ରିକେଟ ଇତିହାସରେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ ଘରୋଇ ମଇଦାନରେ ପରାସ୍ତ କରିଛି ଦଳ। ଜିମ୍ବାଓ୍ବେ ସିରିଜର ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୩ ଉଇକେଟରେ ହରାଇଛି।

ଜିମ୍ବାଓ୍ବେ ବିଜୟର ହିରୋ ପାଲଟିଛନ୍ତି ଲେଗ୍‌ ସ୍ପିନର୍‌ ରିଆନ୍‌ ବୁର୍ଲେ। ସେ ମାତ୍ର ୩ ଓଭର ବୋଲିଂ କରିଥିଲେ, ଯେଉଁଥିରେ ସେ ୧୦ ରନ୍‌ ଦେଇ ୫ ଉଇକେଟ ନେଇଥିଲେ। ଡେଭିଡ୍‌ ଓ୍ବାର୍ନର, ଗ୍ଲେନ ମାକ୍ସଓ୍ବେଲ, ଆଷ୍ଟନ ଅଗର, ମିଚେଲ ଷ୍ଟାର୍କ ଏବଂ ଜୋସ ହାଜଲଉଡଙ୍କ ଭଳି ବଡ଼ ଖେଳାଳିଙ୍କ ଉଇକେଟ ନେଇଥିଲେ। ଫଳରେ ଅଷ୍ଟ୍ରେଲିଆ ଟିମ୍‌ ମାତ୍ର ୧୪୧ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଜବାବରେ ଜିମ୍ବାଓ୍ବେ ୧୧ ଓଭର ଥାଇ ଲକ୍ଷ୍ୟକୁ ହାସଲ କରିନେଇଥିଲା।

କହିରଖୁଛୁ, ବର୍ତ୍ତମାନ ଜିମ୍ବାଓ୍ବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଉଭୟ ଟିମ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଇଥିଲା। ଏହି ସିରିଜକୁ ଅଷ୍ଟ୍ରେଲିଆ ୨-୧ରେ ଜିତିନେଇଛି। ତେବେ ତିନୋଟି ଯାକ ଫର୍ମାଟରେ ଜିମ୍ବାଓ୍ବେ ଏଯାବତ ଅଷ୍ଟ୍ରେଲିଆରେ ୧୬ ମ୍ୟାଚ୍‌ ଖେଳିଛି। ସେଥିରୁ ଗୋଟିଏ ମ୍ୟାଚ୍‌(ଆଜିର)ରେ ବିଜେତା ହୋଇଛି ଜିମ୍ବାଓ୍ବେ।

Share