ନୂଆ ନିୟମ ସହ ଏହି ଦିନ ଆରମ୍ଭ ହେବ ବିଗ୍‌ ବସ ସିଜିନ-୧୪

ମୁମ୍ବାଇ: ଟେଲିଭିଜନର ବେଶ୍‌ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ ବସର ନୂଆ ସିଜିନ୍‌ ପୁଣି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଆସୁଛି। ଚଳିତ ବର୍ଷ ସେପ୍ଟେମ୍ବର ୨୭ରେ ଏହା ଆରମ୍ଭ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି। ତେବେ ଏହି ନୂଆ ସିଜିନରେ ଶୋ’ରେ କିଛିଟା ପରିବର୍ତ୍ତନ କରାଯାଇଛି। ଦେଶରେ ଜାରି ରହିଥିବା କରୋନା ମହାମାରୀ ସଙ୍କଟକୁ ନେଇ ସମସ୍ତ ଏପିଶୋଡ ଆଧାରିତ ରହିବ। ଏଥିରେ କରୋନା ମହାମାରୀ ଓ ସାମାଜିକ ଦୂରତ୍ୱର ଲକ୍‌ଡାଉନ ଥିମ ଦେଖିବାକୁ ମିଳିବ। ତେବେ ମିଳିଥିବା ସୂଚନା ଅନୁସାରେ ବିଗ୍‌ ବସ-୧୪ର ଗ୍ରାଣ୍ଡ ପ୍ରିମିୟର ସେପ୍ଟେମ୍ବର ୨୭ରେ କଲର୍ସ ଟିଭିରେ ପ୍ରସାରଣ ହେବ। ଏହି ଶୋ’ର ଶୁଟିଂ ଅନ୍‌ ଏୟାର ହେବାର ୨ ଦିନ ପୂର୍ବରୁ ଆର୍ଥତ୍‌ ସେପ୍ଟେମ୍ବର ୨୫ ଓ ୨୬ରେ କରାଯିବ। ଏହି ଶୋ’ରେ ଭାଗନେବାକୁ ଥିବା ପ୍ରତିଯୋଗୀମାନେ ସେପ୍ଟେମ୍ବର ୨୬ରେ ବିଗ୍‌ ବସ ଘରେ ଏଣ୍ଟ୍ରି କରିବେ। ଏହି ଶୋ’ର ସେଟ୍‌ ମୁମ୍ବାଇର ଫିଲ୍ମ ସିଟିରେ କରାଯିବ। ଏଠାରେ କୋଭିଡ-୧୯ର ସମସ୍ତ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ବିଗ୍‌ ବସ ସେଟକୁୁ ନିର୍ଦ୍ଦେଶକ ଓମାଙ୍ଗ କୁମାର ଡିଜାଇନ କରିଥିବା ବେଳେ ଗତ ମାସରୁ ସେଟ୍‌ ଡିଜାଇନିଂ କାମ ଆରମ୍ଭ ହୋଇଛି। ଏହା ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି ସୂଚନା ରହିଛି। ଅନ୍ୟପଟେ ଶୋ’ର ଆଙ୍କର ବଲିଉଡ୍‌ ଅଭିନେତା ସଲମାନ ଖାଁ ଶୋ’ର କିଛି ଶୁଟିଂ ନିଜ ଫାର୍ମ ହାଉସ୍‌ରେ ଆରମ୍ଭ କରିଦେଇଛନ୍ତି। ହେଲେ ଜାଣିଛନନ୍ତି କି, ଚଳିତ ବର୍ଷ ସଲମାନ ଏହି ଶୋ’ର ଗୋଟିଏ ଏପିସୋଡ ପାଇଁ କେତେ ଟଙ୍କା ଦାବି କରିଛନ୍ତି। ସେ ଗୋଟିଏ ଏପିସୋଡ ପାଇଁ ୧୬ କୋଟି ଟଙ୍କା ନେବେ ବୋଲି ଜଣାପଡ଼ିଛି। ତେବେ ଶୋ’ର ପ୍ରୋମୋ ଅଗଷ୍ଟ ମଧ୍ୟଭାଗରେ କିମ୍ବା ଶେଷ ସପ୍ତାହରେ ପ୍ରସାରଣ କରାଯିବ। ଚଳିତ ବର୍ଷ ୧୬ଜଣ ପ୍ରତିଯୋଗୀ ବିଗ୍‌ ବସରେ ଭାଗ ନେବେ। ଯେଉଁଥିରେ ୧୩ଜଣ ସେଲିବ୍ରିଟି ଓ ୩ ଜଣ ସାଧାରଣ ପ୍ରତିଯୋଗୀ ରହିବେ। ଏଥିରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ପ୍ରଥମେ ମେଡିକାଲ ଟେଷ୍ଟ ହେବା ସହ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଯାଞ୍ଚ କରାଯିବ।

Share