Categories: ଜାତୀୟ

ବିହାର ବିଧାନସଭା: ବାଚସ୍ପତି ପଦ ପାଇଁ ଅଡି ବସିଛି ଭାଜପା!

ପାଟନା,୧୬ ।୧୧: ବିହାର ବିଧାନସଭାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ୭ମ ଥର ପାଇଁ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ରାଜଭବନର ରାଜେନ୍ଦ୍ର ମଣ୍ଡପରେ ସନ୍ଧ୍ୟା ସାଢେ ୪ଟାରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ନୀତୀଶଙ୍କ ସହ କେତେଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିପାରନ୍ତି । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଭାବେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଶପଥ ଗ୍ରହଣ କରିପାରନ୍ତି । ହେଲେ ଭାଜପା ଏଥର ୨ ଉପମୁଖ୍ୟମନ୍ତ୍ରୀ ରଖିବାକୁ ଚିନ୍ତା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏନ୍‌ଡିଏର ବିଧାୟକ ଦଳର ବୈଠକରେ ନୀତୀଶ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏପଟେ ବାଚସ୍ପତି ଆସନ ଉପରେ ଉଭୟ ଜେଡିୟୁ ଓ ଭାଜପାର ନଜର । ନୀତୀଶ ବାଚସ୍ପତି ଆସନ ତାଙ୍କ ଦଳ ହାତରୁ ଛାଡିବାକୁ ଚାହୁଁ ନ ଥିବା ବେଳେ ଭାଜପା କୁଆଡେ ବାଚସ୍ପତି ଆସନ ପାଇଁ ଅଡି ବସିଥିବା ଶୁଣିବାକୁ ମିଳିଛି । ଭବିଷ୍ୟତକୁ ଲକ୍ଷ୍ୟ କଲେ ବାଚସ୍ପତି ଆସନ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଉଭୟ ଦଳ ଏହାକୁ ନିଜ ହାତ ମୁଠାରେ ରଖିବାକୁ ଚାହୁଁଥିବା ଆଲୋଚନା ହେଉଛି ।

Share