Categories: ଜାତୀୟ

ବିହାର ନିର୍ବାଚନ:୩୫ ଲକ୍ଷ ସାଇଲେଣ୍ଟ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର!

ପାଟନା,୫ ।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବିଗୁଲ ବାଜି ସାରିଛି । ସମସ୍ତେ ସମସ୍ତଙ୍କ ହିସାବରେ ଏହି ଖେଳରେ ବିଜୟ ଲାଭ କରିବାକୁ ଚେଷ୍ଟା ଚଳାଇଛନ୍ତି । କେଉଁଠି ଜାତିଗତ ଦୃଷ୍ଟିକୋଣ ଓ ଆଉ କେଉଁଠି ବିକାଶକୁ ମାଧ୍ୟମ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ହେଲେ ଏହା ଭିତରେ ନେତାଙ୍କ ଚିନ୍ତା ବଢାଇଛନ୍ତି ୩୫ ଲକ୍ଷ ଭୋଟର । ଏମାନଙ୍କୁ କୁହାଯାଉଛି ସାଇଲେଣ୍ଟ ଭୋଟର । ଏମାନଙ୍କ ମଧ୍ୟରେ ପାଖାପାଖି ୧୩ ଲକ୍ଷ ମତଦାତା ଏମିତି ଅଛନ୍ତି ଯେଉଁମାନଙ୍କ ବୟସ ୮୦ ବର୍ଷରୁ ଅଧିକ । ସେହିଭଳି ୬ଲକ୍ଷ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ଏମାନେ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆସିପାରିବେ ନାହିଁ ବୋଲି ସରକାର ସେମାନଙ୍କ ପାଇଁ ସୁବିଧା କରିଛନ୍ତି । ଏମାନଙ୍କ ପାଖରେ ୨୩ଡି ଫର୍ମ ପହଞ୍ଚାଇ ଦିଆଯିବା ପରେ ଏମାନେ ଘରେ ଭୋଟ ଦେଇପାରିବେ ବୋଲି କୁହାଯାଇଛି । ସାଇଲେଣ୍ଟ ଭୋଟର ତାଲିକାରେ ଆସୁଛନ୍ତି ପ୍ରବାସୀ ଶ୍ରମିକ । ଏମାନଙ୍କ ସଂଖ୍ୟା ବି କିଛି କମ୍ ନାହିଁ । ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ରହିଛନ୍ତି ପାଖାପାଖି ୧୬ ଲକ୍ଷ ଭୋଟର । ଏମାନେ ଘରଠାରୁ ବାହାରେ ଥିବାରୁ କେବେ ଭୋଟ ଦେଇ ପାରୁ ନ ଥିଲେ । ହେଲେ କରୋନା ମହାମାରୀ ପରେ ଏମାନେ ନିଜ ନିଜ ରାଜ୍ୟକୁ ଫେରିଥିବା ବେଳେ ଏଥର ବିହାର ବିଧାନସଭା ନିର୍ବାଚନରେ ଏମାନେ ଭୋଟ ଦେବେ । ଏମାନଙ୍କର ଭୋଟ କାହା ନିକଟକୁ ଯିବ ତାକୁ ନେଇ ରାଜନୈତିଙ୍କ ପଣ୍ଡିତଙ୍କ ମୁଣ୍ଡ ମଧ୍ୟ ବୁଲି ଯାଉଛି । ଏହା ଉପରେ ଚାଲିଥିବା ଅଭିଯାନ ପରେ ଜଣାପଡିଛି କି ଏମାନଙ୍କ ମଧ୍ୟରୁ ପାଖାପାଖି ୧୪ ଲକ୍ଷ ଭୋଟରଙ୍କ ନା ଭୋଟର ତାଲିକାରେ ରହିଛି । ଅନ୍ୟ ପ୍ରାୟ ୨ଲକ୍ଷ ଭୋଟରଙ୍କ ନାଁ ତାଲିକାରେ ନ ଥିବା ବେଳେ ଏବେ କିନ୍ତୁ ସେମାନଙ୍କ ନାଁ ଭୋଟର ତାଲିକାରେ ଉଠାଇ ଦିଆଯାଇଛି । ଯେଉଁଠି ହାରିବା ଜିତିବା ପାଇଁ ଗୋଟିଏ ଗୋଟିଏ ଭୋଟ ବି ମୂଲ୍ୟବାନ୍ ସେଠାରେ ଏଭଳି ୩୫ ଲକ୍ଷ ଭୋଟର ଯେ କୌଣସି ରାଜନୈତିକ ଦଳର ଭାଗ୍ୟ ବଦଳାଇ ଦେଇ ପାରନ୍ତି ବୋଲି କୁହାଯାଉଛି । ତେଣୁ ଏବେ ଏହି ୩୫ ଲକ୍ଷ ଭୋଟର ନେତାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛନ୍ତି ବୋଲି କୁହାଯାଉଛି ।

Share