Categories: ଜାତୀୟ

ବିହାର ବିଧାନସଭା ନିର୍ବାଚନ: ମାଓବାଦୀଙ୍କ ଟାର୍ଗେଟ୍‌ରେ ବଡ଼ ନେତା

ପାଟନା, ୨୦।୧୦: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଗୋଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଯେ, ନିର୍ବାଚନ ସମୟରେ ରାଜ୍ୟର ବଡ଼ ବଡ଼ ନେତାଙ୍କୁ ମାଓବାଦୀମାନେ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସରକାରଙ୍କ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ଦଳର ରାଜନେତାଙ୍କୁ ମାଓବାଦୀ ଟାର୍ଗେଟ୍‌ କରି ଷଡ଼ଯନ୍ତ୍ର ରଚିଥିବା କୁହାଯାଉଛି। ସେହିପରି ପୋଲିସ, ସୁରକ୍ଷାକର୍ମୀ, ପାରା ମିଲିଟାରୀକର୍ମୀ ଆଦିଙ୍କୁ ମଧ୍ୟ ମାଓବାଦୀମାନେ ଟାର୍ଗେଟ୍‌ କରିଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାଓବାଦୀ ଆଇଇଡି ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର ରଚିଥିବା ରିପୋର୍ଟରେ ଦର୍ଶାଯାଇଛି। ବିଧାନସଭା ନିର୍ବାଚନକୁ ବର୍ଜନ କରିବା ଲାଗି ମାଓବାଦୀ ବେଶ୍‌ ସକ୍ରିୟ ହେବା ଆରମ୍ଭ କରିଛନ୍ତି। କେତେକ ଅଞ୍ଚଳରେ ପୋଷ୍ଟର ମଧ୍ୟ ଲଗାଯାଇଛି।

Share