Categories: ଜାତୀୟ

ବିହାର ବିଧାନସଭା ନିର୍ବାଚନ: ମହିଳା ଭୋଟରଙ୍କ ଉପରେ କଂଗ୍ରେସ ନଜର, ପ୍ରିୟଙ୍କା କରିବେ ମହିଳା କ୍ରାନ୍ତି ମହାସମ୍ମିଳନୀ

ପାଟନା, ୨୭।୯: ବିହାର ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାଜ୍ୟର ମହିଳା ଭୋଟରଙ୍କୁ ଆକର୍ଷିତ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏନେଇ ମହିଳା କ୍ରାନ୍ତି ମହାସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି। ଅକ୍ଟୋବର ୫ରୁ ୧୦ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ଭର୍ଚୁଆଲ୍‌ ସମ୍ମିଳନୀରେ ପ୍ରିୟଙ୍କା ମହିଳା ସଶକ୍ତିକରଣ ଉପରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ସମସ୍ତ ଜିଲାରେ ଏହି ମହାସମ୍ମିଳନୀ କରାଯିବା ଲାଗି ପ୍ରସ୍ତୁତି ଜାରି ରହିଛି। ଏନେଇ ରାଜ୍ୟ କଂଗ୍ରେସର ଆଗଧାଡ଼ିର ନେତାମାନେ ଦଳର ବରିଷ୍ଠ ସଦସ୍ୟ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କାଙ୍କଠାରୁ ସମୟ ଲୋଡ଼ିଛନ୍ତି। ସମସ୍ତ ଜିଲାରେ ମହାସମ୍ମିଳନୀ ପାଇଁ ପ୍ରେକ୍ଷାଳୟ ବୁକିଂ କାର୍ଯ୍ୟ ଜାରି ରହିଥିବା ରାଜ୍ୟର କଂଗ୍ରେସ ସୋସିଆଲ୍‌ ମିଡ଼ିଆ ପ୍ରଭାରୀ ରାଜୀବ ସିଂ କହିଛନ୍ତି। ଏଥିରେ ରାଜ୍ୟର ୫୦ ହଜାର ମହିଳାଙ୍କୁ ସାମିଲ୍‌ କରାଯିବାର ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, କଂଗ୍ରେସ ରାଜ୍ୟରେ ବିଧାନସଭା ନିର୍ବାଚନ ସୋନିଆ ଗାନ୍ଧୀ, ରାହୁଲ ଏବଂ ପ୍ରିୟଙ୍କାଙ୍କ ଲୋକପ୍ରିୟତା ଆଧାରରେ ଲଢୁଛି। ଏପରିସ୍ଥଳେ ଦଳର ଆଭିମୁଖ୍ୟ ତୃଣମୂଳରେ ପହଞ୍ଚାଇବା କାର୍ଯ୍ୟ ଜାରି ରହିଛି।

Share