ପାଟନା, ୨୧।୧୦: ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। ଚାଷୀଙ୍କ ଋଣ ଛାଡ, ବିଦ୍ୟୁତ୍ ବିଲ୍କୁ ଅଧା କରିବା ସହିତ ବାଳିକାଙ୍କୁ ନ୍ୟାୟ ଦେବାର ପ୍ରତିଶ୍ରୁତି ଘୋଷଣା ପତ୍ରରେ ରହିଛି। ସେହିପରି ବେକାରଙ୍କୁ ମାସିକ ୧୫୦୦ ଶହ ଟଙ୍କା ଭତ୍ତା, କେଜିଠାରୁ ପିଜି ପର୍ଯ୍ୟନ୍ତ ବାଳିକାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଏଥିରେ କୁହାଯାଇଛି। ସ୍କୁଲ ଶିକ୍ଷାଦାନରେ ମୈଥିଳି ଭାଷାକୁ ଅନିବାର୍ଯ୍ୟ କରାଇବା, ଦ୍ୱାଦଶରେ ୯୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରୀଙ୍କୁ ସ୍କୁଟି ଯୋଗାଇଦେବା ସହିତ ୧୮ ମାସରେ ୨ ଲକ୍ଷ ୪୨ ହଜାର ଶିକ୍ଷକ ପଦବୀ ପୂରଣ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ଲାଗି ଆଇନ ଅଣାଯିବାର ଲୋଭନୀୟ ପ୍ରତିଶ୍ରୁତି ଏଥିରେ ରହିଛି। ରାଜ୍ୟର ବିକାଶ ପାଇଁ କ୍ଷମତାରେ ପରିବର୍ତ୍ତନ ଅପରିହାର୍ଯ୍ୟ ବୋଲି ଘୋଷଣା ପତ୍ରରେ ଦର୍ଶାଯାଇଛି। ବୁଧବାର ଜାରି ହୋଇଥିବା ଏହି ଘୋଷଣା ପତ୍ରର ନାମ ପରିବର୍ତ୍ତନ ପତ୍ର(ବଦଲାବ ପତ୍ର) ରଖାଯାଇଛି। ଏହାକୁ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଶକ୍ତି ସିଂ ଗୋହିଲ, ପ୍ରବକ୍ତା ରଣଦୀପ୍ ସୁରେଜଓ୍ବାଲା, ରାଜ ବବରଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ଜାରି କରାଯାଇଛି।