Categories: ଜାତୀୟ

ମାନଝୀଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ ଟଙ୍କା

ପାଟନା,୨୨।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ଜାତୀୟ ସଭାପତି ଜିତନ ରାମ ମାନଝୀଙ୍କ ଜିଭ କାଟିଲେ ୧୧ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିବା ଭାଜପା ନେତା ଗଜେନ୍ଦ୍ର ଝାଙ୍କୁ ଦଳରୁ ବିଦା କରାଯାଇଛି। ଏହି କାର୍ଯ୍ୟ ବିଷୟରେ ଭାଜପା କହିଛି ଯେ ଅଶ୍ଳୀଳ ଭାଷା କାହାକୁ ବରଦାସ୍ତ କରାଯିବ ନାହିଁ। ଦଳରେ ହିଂସା କଥା ଗ୍ରହଣୀୟ ନୁହେଁ। ବ୍ରାହ୍ମଣମାନଙ୍କ ବିଷୟରେ ଜିତନ ରାମଙ୍କ ଦ୍ୱାରା ଦିଆଯାଇଥିବା ବିବାଦୀୟ ବିବୃତ୍ତି ପରେ ଭାଜପା ନେତା ଗଜେନ୍ଦ୍ର ଘୋଷଣା କରିଥିଲେ ଯେ, ଯେଉଁମାନେ ମାନଝୀଙ୍କ ଜିଭ କାଟିବେ ସେମାନଙ୍କୁ ୧୧ ଲକ୍ଷ ଟଙ୍କା ଦେବେ। ଭାଜପା ଗଜେନ୍ଦ୍ର ଝାଙ୍କୁ ୧୫ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କହିଛି କିନ୍ତୁ ସେ ତାଙ୍କ ବିବୃତ୍ତିରେ ଅଟକି ରହିଛନ୍ତି।
ଭୁୟାନ ମୁସାହର ସମ୍ମିଳନୀରେ ଜିତନ ରାମ କହିଥିଲେ ଯେ, ଆଜିକାଲି ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ଧର୍ମର ଭକ୍ତି ଅଧିକ ଆସୁଛି। ପ୍ରଭୁ ସତ୍ୟନାରାୟଣଙ୍କ ପୂଜା ନାମ ଆମେ ଜାଣି ନ ଥିଲୁ। ଏବେ କିନ୍ତୁ ସବୁ ପୂଜାରେ ସତ୍ୟନାରାୟଣ ଭଗବାନ ପୂଜା ହେଉଛି। ପୂଜାକୁ ପଣ୍ଡିତମାନେ ଆସୁଛନ୍ତି କିଛି ଖାଇବେ ନାହିଁ କହୁଛନ୍ତି, କେବଳ କିଛି ନଗଦ ଦିଅନ୍ତୁ ବୋଲି କହୁଛନ୍ତି।

Share