ନବୀନଙ୍କୁ ପ୍ରଶଂସା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଶଂସାରେ ପୋତି ପକାଇଛନ୍ତି। ନୀତିଶ କହିଛନ୍ତି, ନବୀନ ଜଣେ ରାଜନେତା ହିସାବରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବେଳେ କ୍ଷମତା ସହ ବଦଳି ନାହାନ୍ତି।

ଏକ ଜାତୀୟ ଗଣମାଧ୍ୟମରେ ସେ ଲେଖିଛନ୍ତି , ନବୀନ ପଟ୍ଟନାୟକଙ୍କ ସହିତ ମୋର ଦୀର୍ଘଦିନର ସମ୍ପର୍କ । ସେ ଜଣେ ସୁଶାସକ। ଗରିବଙ୍କ ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି, ନ୍ୟାୟ ସହିତ ବିକାଶ ପାଇଁ ତାଙ୍କର ଆଭିମୁଖ୍ୟ ଏବଂ ସାଂସ୍କୃତିକ ପରମ୍ପରା ପ୍ରତି ତାଙ୍କର ସମ୍ମାନ ସର୍ବଦା ପ୍ରଶଂସିତ ହୋଇଛି। ଯେତେବେଳେ ସେ ରାଜନୀତିରେ ପ୍ରବେଶ କଲେ, ସେତେବେଳେ ସେ “ବିଜୁବାବୁଙ୍କ” ପରିଚୟ ନେଇ ଆସିଥିଲେ। ହେଲେ ଗତ ୨୪ବର୍ଷ ମଧ୍ୟରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଲୋକମାନେ ସାଧାରଣତଃ କ୍ଷମତାକୁ ଆସିଲେ ସମୟ ସହିତ ପରିବର୍ତ୍ତନ ହୁଅନ୍ତି। କିନ୍ତୁ ସେ ପୂର୍ବ ଭଳି ରହିଛନ୍ତି। ତାଙ୍କର ରାଜ୍ୟ ତଥା ଦେଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ରହିଛି। ରାଜନୀତିରେ ନବୀନ ପଟ୍ଟନାୟକ କିପରି ଏତେ ସଫଳ ବୋଲି ଲୋକେ ଅନେକ ସମୟରେ ପ୍ରଶ୍ନ କରିଥାନ୍ତି। ମୁଁ ଭାବୁଛି ତା’ର ଉତ୍ତର ସେ ଏକ ସାକ୍ଷାତକାରରେ ଦେଇସାରିଛନ୍ତି।  ସାକ୍ଷାତକାରରେ ସେ କହିଥିଲେ, ‘ମୁଁ ନିର୍ବାଚନ ପାଇଁ ନୁହେଁ ଲୋକମାନଙ୍କ ପାଇଁ କାମ କରେ। ସେ ଏହା ମଧ୍ୟ ସଫଳତାର ସହ ଓଡ଼ିଶାବାସୀଙ୍କୁ ଜଣାଇ ଦେଇଛନ୍ତି।

Share