Categories: ଜାତୀୟ

ବିହାର ଛାଡିବେନି ନୀତିଶ

ପାଟନା,୧।୪: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ରାଜନୀତିରେ ସନ୍ତୁଷ୍ଟ ନାହାନ୍ତି। ଗତ କିଛି ଦିନ ହେବ ସେ ଉପରାଷ୍ଟ୍ରପତି କିମ୍ବା ରାଜ୍ୟ ସଭାକୁ ଯିବେ ବୋଲି ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଶୁକ୍ରବାର ତାଙ୍କ ଦଳ ଜେଡିୟୁ ସମ୍ପୂର୍ଣ୍ଣ ଭାବେ ଏହା ପ୍ରତ୍ୟାଖ୍ୟାନ କରିଛି। ବିହାର ମନ୍ତ୍ରୀ ତଥା ଜେଡିୟୁ ନେତା ସଞ୍ଜୟ ଝା’ ଟୁଇଟ୍‌ ଯୋଗେ କହିଛନ୍ତି, ନୀତିଶ କୁମାର ରାଜ୍ୟ ସଭାକୁ ଯିବାକୁ ଚିନ୍ତା କରୁଥିବା ଗୁଜବରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି କଥା ଗୁଡ଼ିକ ସତ୍ୟଠାରୁ ବହୁ ଦୂରରେ। ସେ ବିହାର ସେବା କରିବା ପାଇଁ ଜନାଦେଶ ପାଇଛନ୍ତି। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜନସାଧାରଣଙ୍କ ସେବା ଜାରି ରଖିବେ। ନୀତିଶ କୁମାର କୌଣସି ସ୍ଥାନକୁ ଯାଉନାହାଁନ୍ତି। ସେ ବିହାର ଛାଡିବେନି। ୨୦୨୦ ବିହାର ବିଧାନସଭା ନିର୍ବାଚନରେ ନୀତିଶ କୁମାର ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା ହୋଇଛନ୍ତି ଏବଂ ଲୋକେ ତାଙ୍କୁ ସରକାର ଗଠନ ପାଇଁ ଭୋଟ ଦେଇଛନ୍ତି।
ସୂଚନାଯୋଗ୍ୟ, ଅତୀତରେ ନୀତୀଶ କୁମାର ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିୟରରେ ଥରେ ମଧ୍ୟ ରାଜ୍ୟ ସଭାକୁ ନ ଯିବା ବିଷୟରେ ଉଲ୍ଲେଖ କରିଥିଲେ। ଏହି ବିଷୟରେ କଳ୍ପନାଜଳ୍ପନା ଚାଲିଥିଲା ଯେ ସେ ବିହାର ରାଜନୀତି ଛାଡି ଏବେ ରାଜ୍ୟ ସଭାକୁ ଯିବେ।

Share