ମଶା କାମୁଡ଼ାରୁ ରକ୍ଷା କରିବ ଏହି ମାଛ

ଏବେ ମଶା କାମୁଡ଼ାରୁ ରକ୍ଷା କରିବ ମାଛ। ମଶାଠାରୁ ଦୂରେଇ ରହିବା ପାଇଁ ଗାମ୍ବୁଜିଆ ମାଛକୁ ବାହାରୁ ଅଣାଯାଇ ପୋଖରୀ ଏବଂ ଡ୍ରେନରେ ଛଡାଯାଉଛି। ବିହାରର ଦରଭଙ୍ଗାରେ ଏମିତି ପ୍ରୟୋଗ କରାଯାଉଛି। କୁହାଯାଉଛି ଯେ ଏହି ମାଛର ମୁଖ୍ୟ ଖାଦ୍ୟ ହେଉଛି ମଶା ଲାର୍ଭା। ମାଛ ପାଣିରେ ଥିବା ମଶା ଲାର୍ଭା ଖାଏ, ଫଳରେ ନୂଆ ମଶା ସୃଷ୍ଟି ହୁଏ ନାହିଁ। ଏହି ମାଛ ପାଳୁଥିବା ଅଞ୍ଚଳରେ ମଶାଙ୍କ ଉପଦ୍ରବ ବହୁ ମାତ୍ରାରେ କମିଯାଏ। ମଶା ବିସ୍ତାରରୁ ରକ୍ଷା ପାଇବା ପାଇଁ ଦରଭଙ୍ଗାବାସୀ ଆଉ କୌଣସି ସ୍ପ୍ରେ କିମ୍ବା ଧୂପକାଠି ଜାଳିବା କିମ୍ବା କୌଣସି ଧୂଆଁର ପ୍ରୟୋଗ କରୁନାହାନ୍ତି। କେବଳ ଗାମ୍ବୁଜିଆ ମାଛ ଦ୍ୱାରା ମଶାରୁ ମୁକ୍ତି ମିଳିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହାଦ୍ୱାରା ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ମାରାତ୍ମକ ରୋଗକୁ ମଧ୍ୟ ଏଡାଯାଇପାରିବ। ଦରଭଙ୍ଗା ଡିଏମ୍‌ ତ୍ୟାଗ ରାଜନଙ୍କ ଉଦ୍ୟମରେ ବର୍ତ୍ତମାନ ନାଳନ୍ଦା ସହରରୁ ପାଖାପାଖି ୨୦ ହଜାର ଗମ୍ବୁଜିଆ ମାଛକୁ ଦରଭଙ୍ଗା ଅଣାଯାଇଛି। ଏହାକୁ ସହରର ଅନେକ ପୋଖରୀରେ ଛଡାଯାଇଛି। ଏହାଦ୍ୱାରା ଦରଭଙ୍ଗାରେ ମଶାର ପ୍ରାର୍ଦୁଭାବ କମିଥିବା ଡିଏମ୍‌ ସୂଚନା ଦେଇଛନ୍ତି। ମତ୍ସ୍ୟ ପାଳନ ଟ୍ରେନିଂ ନେଇ ଦରଭଙ୍ଗାରେ ପହଞ୍ଚିଥିବା ଅଶୋକ କୁମାର କହିଛନ୍ତି, ନାଳନ୍ଦାରୁ ଦରଭଙ୍ଗାକୁ ପ୍ରାୟ ୨୦ ହଜାର ମାଛ ଅଣାଯାଇଛି। ଅନେକ ପୋଖରୀ ଏବଂ କିଛି ଡ୍ରେନରେ ଏହାକୁ ଛଡାଯାଇଛି। ଗାମ୍ବୁଜିଆ ମାଛର ଜୀବନ ମାତ୍ର ତିନି ମାସ ହୋଇଥାଏ। ଏହି ମାଛ ଅଣ୍ଡା ବଦଳରେ ସିଧାସଳଖ ଆଉ ଏକ ମାଛ ଜନ୍ମ ଦେଇଥାଏ। ମାଛ ଜନ୍ମ ଦେବା ମାତ୍ରେ ନିଜେ ମରିଯାଏ। ସେ କହିଛନ୍ତି ଯେ ବର୍ତ୍ତମାନ ଏହି ମାଛଗୁଡିକ ପରୀକ୍ଷଣ ପାଇଁ ଦରଭଙ୍ଗାକୁ ଅଣାଯାଇଛି, ଯଦି ସଫଳ ହୁଏ ତେବେ ଏହା ସମଗ୍ର ଜିଲାରେ କାର୍ଯ୍ୟକାରୀ ହେବ।

Share