Categories: ଜାତୀୟ

ବିହାର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା

ପାଟନା, ୨୦ା୧୧:ବିହାରର ନବନିଯୁକ୍ତ ଶିକ୍ଷାମନ୍ତ୍ରୀ ମଓ୍ବୋଲାଲ୍‌ ଚୌଧରୀ ଶପଥ ନେବାର ୩ ଦିନ ପରେ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମଓ୍ବୋଲାଲ୍‌ଙ୍କ ବିରୋଧରେ ଦୁର୍ନୀତି ମାମଲା ଥିବାରୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯିବାକୁ ବିରୋଧୀ ଦଳ ପକ୍ଷରୁ ଦାବି ହୋଇଥିଲା। ଦୁର୍ନୀତିଗ୍ରସ୍ତ ମଓ୍ବୋଲାଲ୍‌ଙ୍କୁ ମନ୍ତ୍ରୀ କରାଯାଇଥିବାରୁ ବୁଧବାର ଆର୍‌ଜେଡି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରିଥିଲା। ଏପରିକି ନବନିଯୁକ୍ତ ଶିକ୍ଷାମନ୍ତ୍ରୀଙ୍କୁ ଜାତୀୟ ସଙ୍ଗୀତ ଜଣା ନ ଥିବା ଆରଜେଡି ଅଭିଯୋଗ ଆଣିବା ସହ ଏହାର ଏକ ଭିଡିଓ ପ୍ରଦର୍ଶନ କରିଥିଲା। ତେବେ ମାମଲାରେ ଏପର୍ଯ୍ୟନ୍ତ ଚାର୍ଜଶିଟ୍‌ ଦାଖଲ ହୋଇନାହିଁ କିମ୍ବା କୋର୍ଟ ଦୋଷୀସାବ୍ୟସ୍ତ କରି ନ ଥିବାରୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ନୁହେଁ ବୋଲି ମଓ୍ବୋଲାଲ୍‌ କହିଛନ୍ତି। ସୂଚନାଯୋଗ୍ୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି ଥିବାବେଳେ ମଓ୍ବୋଲାଲ୍‌ଙ୍କ ବିରୋଧରେ ନିଯୁକ୍ତି ଅନିୟମିତତା ଅଭିଯୋଗ ହୋଇଥିଲା। ଏନେଇ ମାମଲା ରୁଜୁ ହେବା ପରେ ୨୦୧୭ରେ ତାଙ୍କୁ ନୀତୀଶଙ୍କ ନେତୃତ୍ୱାଧୀନ ଜେଡିୟୁରୁ ନିଲମ୍ବନ କରାଯାଇଥିଲା।

Share