Categories: ଜାତୀୟ

ବିହାର ନିର୍ବାଚନ: ୬୦ ଆସନରେ ମୁସଲମାନ୍‌ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପାଟନା, ୧୭।୧୦: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏବେ ରାଜ୍ୟରେ ରାଷ୍ଟ୍ରବାଦୀ ରାଜନୀତି ଆରମ୍ଭ ହୋଇଛି। ଫଳରେ ହିନ୍ଦୁ ମୁସଲମାନ୍‌ଙ୍କୁ ନେଇ ଭୋଟ ବିଭାଜନ ହେବାର ଯଥେଷ୍ଟ କାରଣ ରହିଥିବା ଚର୍ଚ୍ଚା ହେଉଛି। ରାଜ୍ୟର ୬୦ ଆସନରେ ମୁସଲମାନ୍‌ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାଜ୍ରରେ ମୁସଲମାନ୍‌ ଭୋଟରଙ୍କ ସଂଖ୍ୟା ପ୍ରାୟ ୧୭ ପ୍ରତିଶତ ରହିଛି। ରାଜ୍ୟର ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ୧୮୩ରେ ହିନ୍ଦୁ ଭୋଟରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ୨୦୧୫ରେ ରାଜ୍ୟରେ ୨୪ ଜଣ ମୁସଲମାନ୍‌ ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେହିପରି ୨୦୧୦ରେ ଏହି ସଂଖ୍ୟା ୧୯ ଥିଲା। ୨୦୦୫ରେ ୧୬ ମୁସଲମାନ୍‌ ପ୍ରାର୍ଥୀ ବିଧାନସଭା ନିର୍ବାଚନରେ ପ୍ରତିପକ୍ଷଙ୍କୁ ପରାଜିତ କରିଥିଲେ। ଭୋଟରଙ୍କୁ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁ-ଭାଜପା ମେଣ୍ଟ, ଆରଜେଡ଼ିର ତେଜସ୍ବୀ ଯାଦବ ଏବଂ ଏଲ୍‌ଜେପିର ଚିରାଗ ପାଶଓ୍ବାନଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। କଂଗ୍ରେସ ପକ୍ଷରୁ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି।

Share