ପାଟନା,୪।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ପରେ ଏବେ ରାଜ୍ୟ ରାଜନୀତି ସରଗରମ। ଶାହା ଜେଡିୟୁ ଉପରେ ଯେଉଁ ଅଭିଯୋଗ ଆଣିଥିଲେ ଏବେ ଏହାର ପାଲଟା ଜବାବ ଦେଇଛି ଜେଡିୟୁ। ବିହାର ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ ସୋମବାର ଖବରଦାତା ସମ୍ମିଳନୀ ଜରିଆରେ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଜେଡିୟୁ ସହ ମେଣ୍ଟ କରିବା ପାଇଁ ଅମିତ ଶାହାଙ୍କ ପାଖକୁ କିଏ କ’ଣ ଆବେଦନ ପତ୍ର ନେଇ ଯାଇଥିଲେ। ଜେଡିୟୁ ସହ ମେଣ୍ଟ ହେବ ନାହିଁ, ଜେଡିୟୁ ପାଇଁ ଦ୍ୱାର ବନ୍ଦ। ଶାହା ଏଭଳି ବାରମ୍ବାର କହିବା ଦ୍ୱାରା ସ୍ପଷ୍ଟ ହେଉଛି ଯେ, ବିହାରରେ ନୀତୀଶ କୁମାରଙ୍କ ବିନା କିଛି ଫର୍ମୁଲା କାମ ଦେବ ନାହିଁ। ବିହାରରେ ଦଙ୍ଗା କରିବାକୁ ଚେଷ୍ଟା କରାଯାଇଥିଲା ହେଲେ ଏହାକୁ ରୋକି ଦିଆଗଲା।
ମନ୍ତ୍ରୀ ବିଜୟ କହିଛନ୍ତି, ବିହାରକୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଆସିଥିଲେ। ଯଦି ମାନବିକତା ଥାଆନ୍ତା ତେବେ ଶାନ୍ତି ପାଇଁ ଅପିଲ କରିଥାଆନ୍ତେ। ଥରୁଟିଏ ବି ସେ ଏହା କହି ନାହାନ୍ତି। ବିହାରରେ ଦଙ୍ଗା ହୋଇପାରିଲା ନାହିଁ, କାରଣ ବିହାର ସରକାରଙ୍କ ଜିରୋ ଟଲରାନ୍ସ ନୀତି ରହିଛି। ବିହାର ନୀତୀଶ ମଡେଲରେ ଚାଲୁଛି। ଏଠାରେ ଭାଇଚାରା ରହିଛି। ଅମିତ ଶାହା ଭୁଲ ଭାଷା ପ୍ରୟୋଗ କରି କହିଛନ୍ତି, ଓଲଟା ଲଟକାଇ ଦେବେ, ସିଧା କରିଦେବେ। ଯାହା ଜଣାପଡ଼ୁଛି ଶାହା ବାଉଳା ହେଲେଣି। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ସେ ବିବ୍ରତ ହୋଇ ପଡ଼ିଲେଣି ବୋଲି ମନ୍ତ୍ରୀ ବିଜୟ କହିଛନ୍ତି।