ଗୋଟିଏ ଗୋଡରେ ସ୍ବପ୍ନ ପୂରଣ ପାଇଁ ଲାଗିପଡିଛନ୍ତି କୁନି ଝିଅ ସୀମା

କଥାରେ ଅଛି, ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ବ୍ୟକ୍ତି ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହୁଏ। ବିହାରର ଜମୁଇ ଜିଲାରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଫତେପୁର ଗ୍ରାମରେ ରହୁଥିବାନି ୧୦ ବର୍ଷୀୟା ଝିଅ ସୀମାଙ୍କ କାହାଣୀ ଏବେ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି। ସୀମା ସଡ଼କ ଦୁର୍ଘଟଣାରେ ନିଜର ଗୋଟିଏ ଗୋଡ ହରାଇଥିଲେ ସତ, କିନ୍ତୁ ନିଜ ଆତ୍ମବିଶ୍ୱାସ ନ ହରାଇ ନ ଥିଲେ। ଗୋଟିଏ ଗୋଡରେ ସେ ଆଗକୁ ବଢିବାର ସ୍ବପ୍ନ ଦେଖି ଚାଲିଛନ୍ତି। ମନରେ ଆତ୍ମବିଶ୍ୱାସ ସହ ଗୋଟିଏ ଗୋଡରେ ଏକ କିମି ପର୍ଯ୍ୟନ୍ତ ଚାଲି ଚାଲି ସେ ସ୍କୁଲ ଯାଉଛନ୍ତି। ସୀମା ଫତେହପୁର ଗ୍ରାମର ଏକ ସରକାରୀ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢନ୍ତି।

ସୀମାଙ୍କ ମାତାପିତା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ପିତା ଅନ୍ୟ ଏକ ସହରରେ ରହି କାମ କରନ୍ତି। ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରୁ ଅନ୍ୟତମ ସୀମା କାହା ଉପରେ ନିର୍ଭର କରିବାକୁ ପସନ୍ଦ କରନ୍ତି ନାହିଁ। ଗୋଟିଏ ଗୋଡ ଥିବା ସତ୍ତ୍ୱେ ସେ ପାଠ ପଢି ଶିକ୍ଷକ ହେବାକୁ ସ୍ବପ୍ନ ଦେଖିଛନ୍ତି। ଦୁଇବର୍ଷ ପୂର୍ବେ ସୀମା ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କୁ ଗୋଟିଏ ଗୋଡ ହରାଇବାକୁ ପଡିଥିଲା। ସୋସିଆଲ୍‌ ମିଡିଆରେ ସୀମାଙ୍କୁ ଭିଡିଓ ଭାଇରାଲ ହେବାପରେ ତାଙ୍କୁ ସହାୟତାର ସୁଅ ଛୁଟିଛି।

Share