Categories: ଜାତୀୟ

ଦୁଇରୁ ୩ ମାସରେ ଭାଙ୍ଗିବ ବିହାର ସରକାର

ପାଟନା,୨୭।୬: ଦୁଇରୁ ୩ ମାସ ମଧ୍ୟରେ ଭାଙ୍ଗିବାକୁ ଯାଉଛି ନୀତିଶ କୁମାରଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ) ସରକାର। ବିହାର ବିରୋଧୀ ଦଳ ନେତା ତେଜଶ୍ୱୀ ଯାଦବଙ୍କ ଏଭଳି ଦାବି ଜାତୀୟ ରାଜନୀତିରେ ସୃଷ୍ଟି କରିଛି ହଟଚମଟ। କିନ୍ତୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ସରକାରୀ ଦଳ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ନେତାଙ୍କୁ ପାଲଟା ଟାର୍ଗେଟ କରିଛି। ତାଙ୍କ ନିର୍ବାଚନ ମଣ୍ଡଳୀରେ ମହାମାରୀ ବେଳେ ତାଙ୍କ ଦେଖା ମିଳୁ ନ ଥିବା ଅଭିଯୋଗ କରିଛି ଭାଜପା।

ତେଜଶ୍ୱୀଙ୍କ ଦାବିକୁ ସମର୍ଥନ କରିଛି ଆରଜେଡି ସହଯୋଗୀ କଂଗ୍ରେସ। ବିରୋଧୀ ଦଳର ନେତାଙ୍କ ମନ୍ତବ୍ୟ ପଛରେ ସତ୍ୟତା ରହିଛି। ଏନ୍‌ଡିଏ ସହ ଖୁସିରେ ନ ଥିବା କିଛି ନେତା ଆମ ସହ ଯୋଗାଯୋଗରେ ଅଛନ୍ତି ବୋଲି କଂଗ୍ରେସର ରାଜ୍ୟ ଶାଖା ନେତା କୁନ୍ତଳ କ୍ରିଷ୍ଣା କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ୧୨୫ ବିଧାୟକଙ୍କ ସହ ଏନ୍‌ଡିଏ ସରକାରରେ ଅଛି। ଅନ୍ୟପକ୍ଷରେ ବିରୋଧୀ ମେଣ୍ଟ ପାଖରେ ୧୧୦ ସିଟ୍‌ ଥିବାବେଳେ ରାଜ୍ୟରେ ୮ ସ୍ବାଧୀନ ବିଧାୟକ ଅଛନ୍ତି।

ନିଜ ନିର୍ବାଚନ ମଣ୍ଡଳୀ (ରାଘୋପୁର) ଗସ୍ତ ବେଳେ ତେଜଶ୍ୱୀ ଉପରୋକ୍ତ ସମ୍ବେଦନଶୀଳ ଦାବି କରିଛନ୍ତି। ତାଙ୍କ ଗସ୍ତକୁ କଳାପତକା ଦେଖାଇ ବିରୋଧ କରିଥିଲା ପପୁ ଯାଦବଙ୍କ ଜନ ଅଧିକାରୀ ପାର୍ଟି (ଜାପ)। ପୂର୍ବରୁ ଜାପ ଦଳର କର୍ମକର୍ତ୍ତା ରାଘୋପୁରର ବିଭିନ୍ନ ସ୍ଥାନରେ ତେଜଶ୍ୱୀଙ୍କ ନିଖୋଜ ପୋଷ୍ଟର ଲଗାଇଥିଲା।

Share