କରୋନା ରୋଗୀଙ୍କୁ ଆଇସିୟୁରୁ ହସ୍ପିଟାଲ ବାହାରକୁ ନେଇଗଲେ, ଆଉ ତା’ପରେ…

ବିହାର: ବିହାରରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସେଠାରେ କରୋନା ପଜିଟିଭ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏତେ ସଂଖ୍ୟକ କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍‌ ମଧ୍ୟ ମିଳିବା କଷ୍ଟକର ହୋଇପଡ଼ୁଛି। ତେଣୁ କରୋନା ରୋଗୀଙ୍କ ପାଇଁ ଅସୁବିଧା ଆହୁରି ବଢ଼ୁଛି। ଭାଗଲପୁରର ଜବାହାରଲାଲ ନେହେରୁ ମେଡିକାଲ କଲେଜ-ହସ୍ପିଟାଲ ରାଜ୍ୟର କୋଭିଡ ସ୍ପେଶାଲ ହସ୍ପିଟାଲରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଏହାର ଅବସ୍ଥା ଅତ୍ୟନ୍ତ ଭୟଙ୍କର ହୋଇପଡ଼ିଛି। ଏହି ହସ୍ପିଟାଲ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କରୋନା ରୋଗୀଙ୍କୁ ବାହାର ପବନ ଖୁଆଇବା ପାଇଁ ପରିବାର ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ଡାକ୍ତରଖାନା ବାହାରକୁ ନେଇଗଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି।
ଡାକ୍ତରଖାନାରେ ମୋଟ ୮ଶହ ଶଯ୍ୟା ରହିଛି। ଏହା ତୁଳନାରେ ଡାକ୍ତର ଏବଂ କର୍ମଚାରୀଙ୍କର ସଂଖ୍ୟା ଖୁବ୍‌ କମ୍‌। ତେବେ ହସ୍ପିଟାଲର ତୃତୀୟ ମହଲାର ଆଇସିୟୁରେ ରହି ଜଣେ ରୋଗୀ ଚିକିତ୍ସିତ ହେଉଥିଲେ। ତାଙ୍କୁ ଖୋଲା ପବନର ଆବଶ୍ୟକତା ଥିଲା। ତେଣୁ ପରିବାର ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ରୋଗୀଙ୍କୁ ଆଇସିୟୁ ବେଡ୍‌ ଏବଂ ଅମ୍ଳଜାନ ଟ୍ରଲି ସହିତ ହସ୍ପିଟାଲ ବାହାରକୁ ଟାଣି ନେଇଥିଲେ। ତେବେ ରୋଗୀଙ୍କ ପରିବାର ଲୋକେ କେହି ମାସ୍କ ପିନ୍ଧି ନ ଥିଲେ। ଡାକ୍ତରମାନେ ସେମାନଙ୍କୁ ଅଟକାଇବାରୁ ପରିବାର ଲୋକେ ଧମକ ଦେଇଥିଲେ। ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା ବୋଲି ଡାକ୍ତମାନେ କହିଛନ୍ତି। ଏହି ଘଟଣାଟି ଜୁଲାଇ ୧୯ ତାରିଖର। ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଣିଥରେ ଏହା ଚର୍ଚ୍ଚାକୁ ଆସିଛି। ତେବେ ହସ୍ପିଟାଲରେ ଠିକ୍‌ଭାବେ ଚିକିତ୍ସା ହେଉ ନ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Share