Categories: ଜାତୀୟ

ବିହାରରେ ରାଜନେତାଙ୍କ ‘ବୟସ-ଦୁର୍ନୀତି’: ସତ୍ୟପାଠରେ ଭୁଲ ତଥ୍ୟ

ପାଟନା, ୧୨।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏପରିସ୍ଥଳେ ରାଜନେତାଙ୍କ ‘ବୟସ-ଦୁର୍ନୀତି’ର ପର୍ଦ୍ଦାଫାଶ୍‌ ହୋଇଛି। ସତ୍ୟପାଠରେ ରାଜନେତାମାନେ ଭୁଲ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଶାସକ ଦଳ ମନ୍ତ୍ରୀ ଜୟ କୁମାର ସିଂଙ୍କ ବୟସ ୫ ବର୍ଷରେ ଦୁଇଗୁଣା ହୋଇଥିବାବେଳେ ଭାଜପା ପ୍ରାର୍ଥୀ ନିକ୍କି ହେମ୍ବ୍ରମ୍‌ଙ୍କ ବୟସ ୫ ବର୍ଷରେ ନ ବଢ଼ି ପୂର୍ବ ଭଳି ରହିଛି। ଦିନାରା ବିଧାନସଭା ପାଇଁ ଜେଡ଼ିୟୁ ପ୍ରାର୍ଥୀ ହୋଇଥିବା ଜୟ କୁମାର ୨୦୧୫ରେ ହୋଇଥିବା ନିର୍ବାଚନରେ ନିଜର ବୟସ ୪୬ ଦର୍ଶାଇଥିଲେ। ତେବେ ଏବେ ୨୦୨୦ ନିର୍ବାଚନୀ ସତ୍ୟପାଠରେ ସେ ନିଜ ବୟସ ୫୬ ବୋଲି ଦର୍ଶାଇଛନ୍ତି। ଗତ ୫ ବର୍ଷର ତାଙ୍କ ବୟସ ୧୦ ବର୍ଷ ବଢ଼ିଥିବା ସତ୍ୟପାଠରୁ ଜଣାପଡ଼ିଛି। ସେହିପରି ଭାଜପା ପକ୍ଷରୁ କଟୋରିଆ ସଂରକ୍ଷିତ ଆସନରୁ ନିର୍ବାଚନ ଲଢୁଥିବା ନିକ୍କି ହେମ୍ବ୍ରମ୍‌ଙ୍କ ବୟସ ୨୦୧୫ ବିଧାନସଭା ନିର୍ବାଚନ ସମୟରେ ୪୨ ବର୍ଷ ଥିବା। ଏବେ ୫ ବର୍ଷ ପରେ ୨୦୨୦ରେ ବି ତାଙ୍କ ବୟସ ନ ବଢ଼ି ପୂର୍ବପରି ରହିଛି। ସୂର୍ଯ୍ୟଗଢ଼ା ବିଧାନସଭା ଆସନରୁ ଜେଡ଼ିୟୁ ପ୍ରାର୍ଥୀ ହୋଇଥିବା ରାମାନନ୍ଦ ମଣ୍ଡଳଙ୍କ ବୟସ ୫ ବର୍ଷରେ ୮ ବର୍ଷ ବଢ଼ିଥିବା ସତ୍ୟପାଠରେ ଦର୍ଶାଯାଇଛି। ୨୦୧୫ରେ ତାଙ୍କ ବୟସ ୪୭ ହୋଇଥିଲା। ମାତ୍ର ଏବେ ୨୦୨୦ରେ ରାମାନନ୍ଦଙ୍କ ବୟସ ୫୫ ବର୍ଷ ହୋଇଥିବା ସତ୍ୟପାଠରୁ ଜଣାପଡ଼ିଛି। ରାଜନେତାଙ୍କ ଏଭଳି ବୟସ ଦୁର୍ନୀତି ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share