Categories: ଜାତୀୟ

ଜେଡିୟୁକୁ ପଛରେ ପକାଇଲା ଆର୍‌ଜେଡି

ପାଟନା,୧୧।୪: ବିହାର ବିଧାନ ପରିଷଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଫଳାଫଳ ରାଜ୍ୟର ଉଚ୍ଚ ସଦନରେ ପରିବର୍ତ୍ତନର ସଙ୍କେତ ଦେଇଛି। ୨୦୧୫ ତୁଳନାରେ ଏଥର ଏନ୍‌ଡିଏକୁ କମ୍‌ ଆସନ ମିଳିଛି। ଅନ୍ୟପକ୍ଷରେ ବିରୋଧୀ ଦଳ ଆର୍‌ଜେଡି ବିଧାନ ପରିଷଦରେ ଦ୍ୱିତୀୟ ବୃହତ ଦଳ ହୋଇପାରିଛି।

୭୫ ଆସନ ବିଶିଷ୍ଟ ବିହାର ବିଧାନ ପରିଷଦର ୨୪ ଏମ୍‌ଏଲ୍‌ସି ପାଇଁ ନିର୍ବାଚନ ହୋଇଥିଲା। ଏନ୍‌ଡିଏକୁ ୧୩ ଆସନ ମିଳିଛି। ଅର୍ଥାତ୍‌ ଭାଜପାକୁ ୭ ଆସନ ମିଳିଥିବା ବେଳେ ସହଯୋଗୀ ଜେଡିୟୁକୁ ୫ ଏବଂ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିକୁ ଗୋଟିଏ ଆସନ ଯାଇଛି।

ସ୍ବାଧୀନ ପ୍ରାର୍ଥୀ ୪ ଆସନ ହାତେଇ ଥିବାବେଳେ କଂଗ୍ରେସ ଭାଗରେ ଗୋଟିଏ ଆସନ ପଡ଼ିଛି। ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ଆର୍‌ଜେଡିକୁ ବଡ଼ ସଫଳତା ମିଳିଛି। ଏହି ଦଳ ୬ ଆସନ ଜିତି ବିଧାନ ପରିଷଦର ଦ୍ୱିତୀୟ ବୃହତ୍‌ ଦଳ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ତୃତୀୟ ସ୍ଥାନକୁ ଖସିଆସିଛି। କେତେଜଣ ଏନ୍‌ଡିଏ ପ୍ରାର୍ଥୀଙ୍କ ପରାଜୟକୁ ନେଇ ନୀତୀଶ ଶନିବାର ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ୨୦୧୫ ଏମ୍‌ଏଲ୍‌ସି ନିର୍ବାଚନରେ ଭାଜପା-ଜେଡିୟୁ ମେଣ୍ଟକୁ ୨୦ ଆସନ ମିଳିଥିଲା। ଭାଜପା ୧୨ ଆସନ ଜିତିଥିବାବେଳେ ଜେଡିୟୁ ୮ ଆସନରେ ବିଜୟୀ ହୋଇଥିଲା। ସେହି ନିର୍ବାଚନରେ ଆର୍‌ଜେଡି ଭାଗରେ ୨ ଆସନ ପଡ଼ିଥିଲା।

Share