Categories: ଜାତୀୟ

ଗଙ୍ଗା ନଦୀକୁ ଖସିପଡିଲା ଜିପ୍‌: ୯ ଜଣଙ୍କ ଜୀବନ ଗଲା

ପାଟନା,୨୩।୪: ବିହାରର ରାଜଧାନୀ ପାଟନା ଦାନାପୁରରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଠାରେ ପିପା ବ୍ରିଜ ଦେଇ ଯାଉଥିବା ଏକ ଜିପ ଗଙ୍ଗା ନଦୀକୁ ଖସିପଡିଛି। ଏହି ଜିପ୍‌ରେ ୨୫ ଯାତ୍ରୀ ଥିଲେ। ଏକ ବିବାହ ଉତ୍ସବ ସାରି ଫେରୁଥିବାବେଳେ ଏହି ଅଘଟଣ ଘଟିଛି। ଏନଡିଆରଏଫ୍‌, ଏଡିଆରଏଫ୍‌ ଏବଂ ସ୍ଥାନୀୟ ଡାଇଭରଙ୍କ ସହାୟତାରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ନଦୀରୁ ବାହାର କରାଯାଇଛି। ଏଥି ସହିତ, ୭-୮ଜଣ ଲୋକ ନିଖୋଜ ଥିବା ଜଣାପଡିଛି। ଦୁର୍ଘଟଣାର ପ୍ରାୟ ଅଢେଇ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଏକ କ୍ରେନ ସାହାଯ୍ୟରେ ଲୋକଙ୍କୁ ବାହାର କରାଯାଇଥିଲା। କୁହାଯାଉଛି ଯେ କାରରେ ଶିଶୁ ଓ ମହିଳାଙ୍କ ସମେତ ଅନେକ ଲୋକ ଥିଲେ। ଦୁଇ ଜଣ ମଧ୍ୟ ଜିପ୍‌ର ଛାତ ଉପରେ ବସିଥିଲେ, ଯେଉଁମାନେ ଡେଇଁପଡି ସେମାନଙ୍କ ଜୀବନ ରକ୍ଷା କରିଥିଲେ। ସୂଚନାଯୋଗ୍ୟ, ବ୍ରିଜ ଦେଇ ଯାଉଥିବା ପିକଅପ ଭ୍ୟାନ ହଠାତ୍‌ ଗଙ୍ଗା ଭିତରକୁ ଖସିପଡିଥିଲା।

Share