ନୂଆଦିଲ୍ଲୀ, ୧୦।୮(ପି.ଟି.): ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକୁ ମୁମ୍ବାଇ ପୋଲିସ ସୁପ୍ରିମକୋର୍ଟରେ ବିରୋଧ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯାଉଥିବା କହିଛି। ଅନ୍ୟପକ୍ଷରେ ବିହାର ପୋଲିସ ଏହି ମାମଲାରେ ଦାଏର କରିଥିବା ଏତଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଏହା ସଂଘୀୟ ନୀତିର ଉଲ୍ଲଂଘନ କରୁଥିବା ମୁମ୍ବାଇ ପୋଲିସ କହିଛି। ସିବିଆଇ ଏତଲା ଦାଏର କରିବା ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଆବଶ୍ୟକ ବୋଲି ମୁମ୍ବାଇ ପୋଲିସ ଅଦାଲତରେ ଦାଖଲ କରିଥିବା ସତ୍ୟପାଠରେ କହିଛି। ସୁଶାନ୍ତଙ୍କ ବାପାଙ୍କ ଏତଲା ଆଧାରରେ ବିହାର ପୋଲିସ ରିଆ ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାକୁ ମୁମ୍ବାଇ ସ୍ଥାନାନ୍ତର କରିବା ପାଇଁ ରିଆ କୋର୍ଟରେ ପିଟିଶନ ଦାଏର କରିଥିଲେ।