ଏମତି ଜଣାପଡ଼ିଥିଲା NEET ପେପର ଲିକ୍‌ ଘଟଣା, ପୋଲିସ୍‌କୁ ଆସିଲା କଲ୍‌, ତାପରେ…

ନୂଆଦିଲ୍ଲୀ, ୨୨।୬: NEET ପେପର ଲିକ୍‌କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ବିରୋଧୀ ଦଳମାନେ ଏହି ମୁଦ୍ଦାକୁ ନେଇ ରାସ୍ତାକୁ ଓହ୍ଲାଇଥିବା ବେଳେ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ହେଲେ ଏହି ପେପର ଲିକ୍‌ ଘଟଣା ଏକ ଫୋନ୍‌ କଲ୍‌ ପରେ ସନ୍ଦେହ ଘେରକୁ ଆସିଥିଲା ବୋଲି ଜଣାପଡ଼ିଛି । ମେ ୫ ତାରିଖରେ ନିଟ୍‌ ପରୀକ୍ଷା ଆରମ୍ଭ ହେବାର ୩ ଘଣ୍ଟା ପୂର୍ବରୁ ପାଟନା ପୋଲିସକୁ ଏକ ଫୋନ୍‌ କଲ୍‌ ଆସିଥିଲା । ଫୋନ୍‌ କରିଥିବା ବ୍ୟକ୍ତି ନିଜ ନାଁ ନକହି ୪ ଅପରାଧୀ ଏକ ଏସ୍‌ୟୁଭିରେ ତାଙ୍କର ଠିକଣା ସ୍ଥଳକୁ ଯାଉଥିବା କହିଥିଲେ । ହେଲେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ । ଏହି ଫୋନ୍‌ କଲ୍‌ ହିଁ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଧରାପାକାଇ ଦେଇଥିବା କୁହାଯାଉଛି ।

ପାଟନାର ଶାସ୍ତ୍ରୀ ନଗର ପୋଲିସ ଟିମ୍‌ ଫୋନ୍‌ରେ ମିଳିଥିବା ଏହି ସୂଚନାକୁ ନେଇ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା । ଏସ୍‌ୟୁଭିରେ ଥିବା ୪ ଜଣ ଲୋକଙ୍କୁ ଧରିଥିଲା । ସେମାନଙ୍କୁ ଯେତେବେଳେ ପୋଲିସ୍‌ ଜୋର ଦେଇ ପଚରାଉଚରା କରିଥିଲା ସେତେବେଳେ ସତ ସାମ୍ନାକୁ ଆସିଥିଲା । ସେମାନେ ପୋଲିସକୁ ଏକ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ନିଟ୍‌ ୟୁଜି ଦେବା ପାଇଁ ୩୦ ପରୀକ୍ଷାର୍ଥୀ ରହିଥିଲେ । ଏମାନେ ନିଟ୍‌ ପ୍ରଶ୍ନ ଏବଂ ତାର ଉତ୍ତର ପାଇଁ ୩୦ ରୁ ୫୦ ଲକ୍ଷ ଲେଖାଏଁ ଦେଇଥିବା କୁହାଯାଉଛି । ସେମାନଙ୍କୁ ରାମକୃଷ୍ଣ ନଗରରେ ରଖାଯାଇଥିବା ପୋଲିସ କହିଛି । ରାତି ସାରା ସେମାନଙ୍କୁ ପ୍ରଶ୍ନ ଉତ୍ତର ମନେରଖିବାକୁ କୁହାଯାଇଥିଲା ।

ତେବେ ସୂଚନା ଥାଉକି, ଗତକାଲି୧୫୬୩ ଆଶାୟୀଙ୍କ ପୁନର୍ବାର ପରୀକ୍ଷା ହେବା ନେଇ ସୁପ୍ରୀମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି । ଜାରି ହୋଇଛି NEET ୟୁଜିର ପୁନର୍ବାର ପରୀକ୍ଷା ପାଇଁ ଆଡ୍‌ମିଟ୍‌ କାର୍ଡ। ଏହି ୧୫୬୩ ଆଶାୟୀଙ୍କୁ ଗ୍ରେସ୍‌ ମାର୍କ ମିଳିଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ସେମାନଙ୍କର ଗ୍ରେସ ମାର୍କ ରଦ୍ଦ କରିଥିଲା । ଏମାନଙ୍କ ମଧ୍ୟରୁ ଯଦି କୌଣସି ଆଶାୟୀ ପୁନର୍ବାର ପରୀକ୍ଷା ନ ଦିଅନ୍ତି ତେବେ ତାଙ୍କୁ ବିନା ଗ୍ରେସ୍‌ ମାର୍କରେ ରଖିଥିବା ନମ଼୍ବର ପ୍ରଦାନ କରିବାକୁ କୁହାଯାଇଛି। ଏହି ପରୀକ୍ଷା ୨୩ ଜୁନ୍‌ରେ ଅନୁଷ୍ଠିତ ହେବ ।

Share