ପାଟନା,୯।୮: ବହୁ କଳ୍ପନାଜଳ୍ପନା ପରେ ବିହାରରେ ଜେଡିୟୁ ଏବଂ ଭାଜପାର ମେଣ୍ଟ ଶେଷରେ ଭାଙ୍ଗି ଯାଇଛି। ମଙ୍ଗଳବାର ସକାଳୁ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ଯେକୌଣସି ସମୟରେ ଏହାର ଆନୁଷ୍ଠାନିକ ଘୋଷଣା ହେବ ବୋଲି କୁହାଯାଉଛି। ଯଦିଓ ଏନେଇ ଜେଡିୟୁ କିମ୍ବା ଭାଜପା ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇନାହିଁ, କିନ୍ତୁ ଜେଡିୟୁ ନେତାଙ୍କ ସହ ବୈଠକ ପରେ ଭାଜପା ସହ ମେଣ୍ଟ ଭାଙ୍ଗିବାକୁ ନୀତୀଶ କୁମାର ନିଷ୍ପତ୍ତି ନେଇଥିବା ଜଣାପଡିଛି। ନୀତୀଶ କୁମାର ଆଜି ଅପରାହ୍ନ ୪ଟାରେ ବିହାରର ରାଜ୍ୟପାଳଙ୍କୁ ଭେଟି ଏକ ନୂତନ ସରକାର ଗଠନ ପାଇଁ ଦାବି କରିବେ।
ବିହାରରେ କ୍ଷମତାର ନୂତନ ସମୀକରଣ ଅନୁଯାୟୀ ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ଏକତ୍ର ସରକାର ଗଠନ କରିବେ। ସୂଚନାନୁସାରେ, ନୀତୀଶ କୁମାର ୧୬୦ ଜଣ ବିଧାୟକଙ୍କ ସମର୍ଥନ ପତ୍ର (ଆରଜେଡି-୭୯, ଜେଡିୟୁ-୪୫, କଂଗ୍ରେସ -୧୯, ବାମ -୧୬ ଏବଂ ସ୍ବାଧୀନ -୧) ସହ ରାଜଭବନକୁ ଯିବେ। ଏହାପୂର୍ବରୁ ମାହାମେଣ୍ଟର ସମସ୍ତ ବିଧାୟକମାନେ ବିହାର ବିଧାନସଭାରେ ବିରୋଧୀଦଳର ନେତା ତେଜସ୍ବୀ ଯାଦବଙ୍କୁ ସମର୍ଥନ ପତ୍ର ପ୍ରଦାନ କରିଥିଲେ। ମହାମେଣ୍ଟର ବିଧାୟକମାନଙ୍କୁ କୃତଜ୍ଞତା ଜଣାଇ ତେଜସ୍ବୀ ଯାଦବ କହିଛନ୍ତି, ଆପଣମାନେ ମୋ ଉପରେ ବିଶ୍ୱାସ ରଖିଛନ୍ତି, ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ଆମେ ପ୍ରତ୍ୟେକ ପ୍ରସଙ୍ଗରେ ଏକାଠି କାମ କରିବୁ ଏବଂ ୨୦୨୦ରେ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ।
ତେଜସ୍ବୀ ଯାଦବ ତାଙ୍କ ବିଧାୟକଙ୍କ ସମର୍ଥନ ପତ୍ର ନୀତୀଶ କୁମାରଙ୍କୁ ହସ୍ତାନ୍ତର କରିବେ, ଏହା ପରେ ବିହାରରେ ଏକ ନୂତନ ସରକାର ଗଠନ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।
ସୂଚନାଯୋଗ୍ୟ, ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ହେଲା ତାହା ଚରମ ସ୍ଥିତିରେ ପହଞ୍ଚତ୍ଥିବାବେଳେ ରାଜ୍ୟରେ ଏନ୍ଡିଏ ମେଣ୍ଟ ଭାଙ୍ଗିବାକୁ ଯାଉଛି। ଜେଡିୟୁର ଅଭିଯୋଗ ହେଲା ଦଳ ଭିତରେ ନୀତିଶଙ୍କ ପତିଆରା କ୍ଷୁଣ୍ଣ କରିବାକୁ ଭାଜପା ଉଦ୍ୟମ ଚଳାଇଥିଲା।