Categories: ଜାତୀୟ

ବିଭୀଷଣ ପାଲଟିଯିବେ ମୋଦିଙ୍କ ‘ହନୁମାନ’: ଅମିତ ଶାହାଙ୍କୁ ଭେଟିବା ପରେ ଏମିତି କିଛି କହିଦେଲେ ଚିରାଗ ପାସୱାନ

ନୂଆଦିଲ୍ଲୀ,୩୧।୮: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାର ବିହାରରେ ଭାଜପାକୁ ଫେରିବା ପରଠାରୁ ଏହି ରାଜ୍ୟରେ ଏନଡିଏରେ ଫାଟ ସୃଷ୍ଟି ନେଇ ଚର୍ଚ୍ଚା ହେଉଛି। ଗତ କିଛି ମାସ ମଧ୍ୟରେ ଏଭଳି ଆଲୋଚନା ଚାଲିଛି ଯେ, ମୋଦିଜୀଙ୍କ ହନୁମାନ କୁହାଯାଉଥିବା ଚିରାଗ ପାସୱାନ ନିଜକୁ ଭାଜପାଠାରୁ ନିଜକୁ ଦୂରେଇ ରଖିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ପ୍ରତ୍ୟେକ ଥର ଚିରାଗ ଏହାକୁ ଗୁଜବ ବୋଲି କହିଛନ୍ତି। ପୁଣି ଥରେ ସେ ଏପରି କିଛି କହିଛନ୍ତି ଯାହା ଏହି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି।
ଶୁକ୍ରବାର ଚିରାଗ ପାସୱାନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକ ପରେ ଚିରାଗ ପାସୱାନ କହିଛନ୍ତି, ସେ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଅଲଗା ଭାବନ୍ତି ନାହିଁ। ତାଙ୍କ ଦଳ ଏନଡିଏ ସହ ଜଡିତ ଏବଂ ଯଦି ଏନଡିଏ ଚାହୁଁଛି ତେବେ ସେ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଏନଡିଏର ସହଯୋଗୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛି। ନିକଟରେ ଅମିତ ଶାହାଙ୍କ ସହ ଦାଦା ପଶୁପତି କୁମାର ପରାସଙ୍କ ସାକ୍ଷାତକୁ ମଧ୍ୟ ସେ ହାଲୁକା ଭାବେ ଗ୍ରହଣ କରିଥିଲେ ଏବଂ ଏହାକୁ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ।
ଚିରାଗ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମୋର ଭଲ ପାଇବା ଅତୁଟ ରହିଛି। ଯେପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଅଛନ୍ତି, ମୁଁ ତାଙ୍କଠାରୁ ଅଲଗା ହୋଇପାରିବି ନାହିଁ। ତାଙ୍କ ମତ ସବୁବେଳେ ସରକାରଙ୍କ ନୀତି ପ୍ରତିଫଳିତ କରିଥାଏ।
ଗୁଜବ ଉପରେ ଜବାବ ଦେଇ ପାସୱାନ କହିଛନ୍ତି, କିଛି ଲୋକ ତାଙ୍କ ଏବଂ ଭାଜପା ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। କେବଳ ବିହାରରେ ନୁହେଁ ଜାତୀୟ ସ୍ତରରେ ଆମ ଦଳ ଭାଜପାର ଦୃଢ ସମର୍ଥକ ବୋଲି ସେ କହିଛନ୍ତି।
ଗତ କିଛି ମାସ ମଧ୍ୟରେ ଚିରାଗ ପାସୱାନ ସରକାରଙ୍କ ବିରୁଦ୍ଧରେ ଯାଇ ତିନୋଟି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ କେବଳ ସରକାରଙ୍କ ବିରୋଧରେ ଦେଖିବାକୁ ମିଳିଥିଲା। ସର୍ବପ୍ରଥମେ ସେ କୋଟା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ବିରୋଧ କରିଥିଲେ। ଏହା ପରେ ସେ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ UPSC ନିଯୁକ୍ତିକୁ ବିରୋଧ କରିଥିଲେ। କୋଟା ସମ୍ପର୍କରେ ଦଳିତ ସଂଗଠନ ଆହ୍ବାନ କରିଥିବା ଭାରତ ବନ୍ଦକୁ ମଧ୍ୟ ସେ ସମର୍ଥନ କରିଥିଲେ। ଏହି ସବୁ କାରଣରୁ ସେ ଭାଜପାରୁ ଦୂରେଇ ଯାଇପାରନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଥିଲା।

Share