ମୋଟା ଅଙ୍କର ଟଙ୍କା ସହିତ ଧରାପଡ଼ିଲେ ବିଜେପୁର ବିଡିଓ

ସୋନପୁର/ବିଜେପୁର,୨୯ା୮(ନି.ପ୍ର./ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ପଦ୍ମନାଭ ସାମନ୍ତରାୟ ରବିବାର ଭୋର୍‌ରୁ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ମୋଟାଅଙ୍କର ଟଙ୍କା ଧରି ଏକ ଗାଡ଼ିରେ ପୁରୀ ଜିଲା ଗଡଚାନ୍ଦପୁର ଗ୍ରାମର ନିଜ ଘରକୁ ଯାଉଥିବା ସୂଚନା ପାଇ ଭିଜିଲାନ୍ସର ଏକ ଟିମ୍‌ ତାଙ୍କୁ ପିଛା କରିଥିଲେ। ବିନିକା-ସୋନପୁର ରାସ୍ତାରେ ରହିଥିବା ମହାନଦୀ ବ୍ରିଜ୍‌ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ସେଠାରେ ତାଙ୍କ ପାଖରୁ ୩ ଲକ୍ଷ ୫୦ହଜାର ଟଙ୍କା ମିଳିଥିଲା। ଏହପରେ ବିଡିଓ ସାମନ୍ତରାୟଙ୍କ ବିଜେପୁର ସରକାରୀ ବାସଭବନରେ ଭିଜିଲାନ୍ସର ଖୋଳତାଡ଼ ଚାଲିଛି । ଏଠାରୁ ନଗଦ ୪୨ ହଜାର ୭ଶହ ଟଙ୍କା ମିଳିଥିବା ସୂଚନା ମିଳିଛି। ତେବେ ବିଡିଓ ଗାଡ଼ିରେ ଧରି ଯାଉଥିବା ମୋଟାଅଙ୍କର ଟଙ୍କା କେଉଁଠୁ ଆଣିଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ଧରି ଯାଉଥିଲେ, ତାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Share