ଦଶରଥପୁର,୨୫ା୭(ଡି.ଏନ.ଏ.): ଦଶରଥପୁର ବ୍ଲକ୍ ଖଣ୍ଡରା ପଞ୍ଚାୟତର ଏକ ପ୍ରମୁଖ ଗ୍ରାମ ବିଜିପୁର। ଏହି ଗ୍ରାମରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ହେଲେ ପରିତାପର ବିଷୟ ଯାଜପୁର-ବିଞ୍ଝାରପୁର ମୁଖ୍ୟ ରାସ୍ତାରୁ ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅସରାଏ ବର୍ଷାହେଲେ କାଦୁଅ ପଚପଚ ରାସ୍ତାରେ ପଶି ଗ୍ରାମର ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଦୟନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି। ଯାଜପୁର ସହରଠାରୁ ମାତ୍ର ୫ କି.ମି. ଦୂରରେ ଅବସ୍ଥିତ ଏହି ଗାଁର ରାସ୍ତା ଏପରି ହୋଇଥିଲେ ମଧ୍ୟ ପ୍ରଶାସନର ନଜର ପଡୁନାହିଁ। ତେଣୁ ତୁରନ୍ତ ଏହି ରାସ୍ତା ନିର୍ମାଣ କରିବାକୁ ବ୍ଲକ୍ ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।