ପ୍ରଶ୍ନବାଚୀରେ ବିଜୟଙ୍କ ଦକ୍ଷତା

ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଗୁରୁବାର ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି। ନବୀନ ତାଙ୍କୁ କେନ୍ଦ୍ରାପଡ଼ା ଜିଲା କଥା ବୁଝିବାକୁ କହି ଆଶୀର୍ବାଦ ଦେଇଥିଲେ। ଏହି ବିଷୟ ତୁମ ବାପାଙ୍କୁ ଜଣାଇଦେବ ବୋଲି କହିଥିଲେ। ଏହି ସମାନ ଦିନରେ ବିଜେଡି-ଭାଜପା ମେଣ୍ଟ ସଂକ୍ରାନ୍ତୀୟ ଆଲୋଚନା ଶୀର୍ଷ ଛୁଇଁଥିଲା। ସନ୍ଧ୍ୟାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଦିଲ୍ଲୀ ଗସ୍ତ କରିଥିଲେ। ଆସନ ବୁଝାମଣା ନେଇ ନବୀନଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଭାଜପାର ରାଷ୍ଟ୍ରୀୟ ନେତାଙ୍କ ସହ ଆଲୋଚନା କରାଯାଇଥିବା କୁହାଯାଉଛି।
ପ୍ରଚ୍ଛଦପଟରେ ଦୁଇ ଦଳ ମଧ୍ୟରେ ୧୯୯୮ରେ ହୋଇଥିବା ମେଣ୍ଟ କଥା ମନେପଡ଼େ। ସେତେବେଳେ ବିଜୟ ମହାପାତ୍ର ଓ ଭାଜପାର ତତ୍କାଳୀନ ବରିଷ୍ଠ ନେତା ସ୍ବର୍ଗତ ପ୍ରମୋଦ ମହାଜନଙ୍କ ମଧ୍ୟରେ ଆଲୋଚନା ହେବା ପରେ ମେଣ୍ଟ ଚୁକ୍ତି ହୋଇଥିଲା। ମେଣ୍ଟ ୧୯୯୮, ୧୯୯୯ ଓ ୨୦୦୪ ଲୋକ ସଭା ନିର୍ବାଚନରେ ଅଧିକ ଆସନ ପାଇଥିବା ବେଳେ ୨୦୦୦ ଓ ୨୦୦୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ଏବେ ବିଜେଡିରେ ଅରବିନ୍ଦ ଯୋଗଦେବା ପରେ ପାଣ୍ଡିଆନ ୧୯୯୮ ମେଣ୍ଟ ସମୟର ବିଜୟ ମହାପାତ୍ରଙ୍କ ଅଭିଜ୍ଞତାକୁ ଉପଯୋଗ କରି ଆସନ ଭାଗବଣ୍ଟା କରିବାକୁ ସୁଯୋଗ ପାଇବେ ବୋଲି ଚର୍ଚ୍ଚା ହେଲାଣି।
ଯେ, ପୁଅମୁହଁରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶୁଣିବା ପରେ ବିଜୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ ଏଠାରେ ସମସ୍ୟାଟି ହେଉଛି ଯେ, ୧୯୯୮ ବେଳେ ବିଜୟ ମହାପାତ୍ରଙ୍କ ଓଡ଼ିଶା ଉପରେ ଯେଉଁ ଅଭିଜ୍ଞତା ଥିଲା, ତାହା ଏହି ୨୪ ବର୍ଷରୁ ଅଧିକ ସମୟ ଭିତରେ ନିଶ୍ଚିତ ଭାବେ ହ୍ରାସ ପାଇଯାଇଛି। କାରଣ ବିଜୟଙ୍କ ରାଜନୈତିକ ଜୀବନ ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ରଗ୍ରହଣ ଭଳି ଅନ୍ଧକାର ହୋଇଯାଇଛି। ତାଙ୍କ ବୁଦ୍ଧିରେ ଯାଇ ପାଣ୍ଡିଆନ କେତେଦୂର ପର୍ଯ୍ୟନ୍ତ ବିଜେଡିର ସ୍ବାର୍ଥରକ୍ଷା କରିପାରିବେ ତାହା ନିକଟ ଭବିଷ୍ୟତରେ ଜଣାପଡ଼ିବ। ଅନ୍ୟପକ୍ଷରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ଦିଲ୍ଲୀରୁ ଆସିବା ପରେ କହିଛନ୍ତି, ମେଣ୍ଟ ନେଇ ଆଲୋଚନା ହୋଇନି ଓ ଭାଜପା ଏକା ଲଢ଼ିବ। ଆଗକୁ କ’ଣ ହେଉଛି ତା’ ଉପରେ ଏବେ ସମସ୍ତଙ୍କ ନଜର।

– ସମରେଶ ପଟ୍ଟନାୟକ

Share