Advertisement

ଅବହେଳିତ ଅବସ୍ଥାରେ ବିଜୁ ଉଦ୍ୟାନ

ସୁନାବେଡ଼ା/ସେମିଳିଗୁଡ଼ା,୨୮ା୯(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ହାଲ୍‌ ଟାଉନଶିପ ୱାଇ ଜୋନ୍‌ରେ ପୌର ପ୍ରଶାସନ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ଉଦ୍‌ଘାଟନ ପରେ ସେତେବେଳେ ବିଜୁ ଉଦ୍ୟାନ ରୂପେ ପରିଚିତ ଏହି ପାର୍କ ଭିତରକୁ ଯିବା ପାଇଁ ପ୍ରବେଶ ଶୁଳ୍କ ମଧ୍ୟ ରଖାଯାଇଥିଲା। ସେ ସମୟରେ ଏହାର ରକ୍ଷଣାବେକ୍ଷଣ ପାଇଁ ଶାଶ୍ୱତୀ ମହିଳା ମହାସଂଘକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏଥିପାଇଁ ମାସକୁ ପ୍ରାୟ ୭୪ହଜାର ଟଙ୍କା ମହାସଂଘ ବ୍ୟାଙ୍କ ଜମାଖାତାକୁ ଯାଉଥିଲା। ତେବେ ୨ ବର୍ଷ ଉକ୍ତ ମହିଳା ମହାସଂଘ ଦାୟିତ୍ୱ ନେବା ପରେ ତାକୁ ପ୍ରଶାସନ ଅପସାରଣ କରି ମା’ ଗଙ୍ଗା ମା’ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେଇଥିଲା। ଗତ ୮ମାସ ହେବ ଏହି ଗୋଷ୍ଠୀ ଦାୟିତ୍ୱ ନେଇଛି। ପ୍ରତି ମାସରେ ପ୍ରଶାସନ ବିଜୁ ଉଦ୍ୟାନର ରକ୍ଷଣାବେକ୍ଷଣ ପାଇଁ ୬୪,୯୯୯ ଟଙ୍କା ଖର୍ଚ୍ଚ କରୁଛି। ଏହା ସତ୍ତ୍ୱେ ଉଦ୍ୟାନର ଅବସ୍ଥା ଶୋଚନୀୟ ହୋଇପଡିଛି। ଏତେ ଟଙ୍କା ମାସକୁ ମାସ କେଉଁଠି ବିନିଯୋଗ ହେଉଛି ସେନେଇ ସନ୍ଦେହ ପ୍ରକାଶ ପାଇଛି। ନିୟମ ଅନୁସାରେ ଉଦ୍ୟାନ ପାଇଁ ୬ ଜଣ ମାଳୀ ଓ ଜଣେ ସୁପରଭାଇଜର ରହିବା କଥା। ମାତ୍ର ଏ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସାରା ଉଦ୍ୟାନରେ ଘାସବଣରେ ପରିଣତ ହେବା ସହ ଲଗାଯାଇଥିବା ଲାଇଟଗୁଡିକ ଭାଙ୍ଗିରୁଜିଗଲାଣି। ବସିବା ପାଇଁ ପଡିଥିବା ଚେୟାରଗୁଡିକ ଅବସ୍ଥା ମଧ୍ୟ ନ କହିବା ଭଲ। ସନ୍ଧ୍ୟା ହେଲେ ଏହି ଉଦ୍ୟାନରେ ଅସାମାଜିକ ବ୍ୟକ୍ତିଙ୍କ ଆସର ଜମୁଛି। ଏଥିପ୍ରତି ପୌର ପ୍ରଶାସନର ନଜର ନାହିଁ। ଏ ସମ୍ପର୍କରେ ସୁନାବେଡ଼ା ପୌର ନିର୍ବାହୀ ଅଧିକାରୀ ନାରାୟଣ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ବିଷୟରେ ସେ ଅବଗତ ଅଛନ୍ତି । କାର୍ଯ୍ୟବ୍ୟସ୍ତ ଯୋଗୁ ଉଦ୍ୟାନକୁ ଯାଇପାରୁନାହାନ୍ତି। ଦିନେ ଦୁଇଦିନ ମଧ୍ୟରେ ଉଦ୍ୟାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଅପରପକ୍ଷରେ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ରତନି ଖେମୁଣ୍ଡୁଙ୍କ ତାଙ୍କ ମୋବାଇଲ ୯୭୭୭୯୦୨୯୭୩ ଯୋଗେ ବାରମ୍ବାର ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇ ନ ଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share