କୁମ୍ଭୀରକାନ୍ଦଣା କାନ୍ଦୁଛି ବିଜୁ ଜନତା ଦଳ

ମାଲକାନଗିରି,୯ା୮(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରିର ଭାଜପା ବିଧାୟକ ନରସିଂହ ମାଡକାମୀ ଗୁରୁବାର ବିଜେଡି ରାଜ୍ୟ କମିଟି ମୋଟୁ ଅଞ୍ଚଳ ଗସ୍ତକୁ ନେଇ ପ୍ରତିକ୍ରିୟାରେ କହିଛନ୍ତି, ପୋଲାଭରମ୍‌ ପ୍ରକଳ୍ପ ପାଇଁ ବିଜୁ ଜନତା ଦଳ କୁମ୍ଭୀରକାନ୍ଦଣା କାନ୍ଦୁଛି। କେମିତି ଜାଣିଲେ କେତେ କ୍ଷୟକ୍ଷତି ହେବ। ୨୫ ବର୍ଷରେ ପଲ୍ଲିସଭା କି ଗ୍ରାମସଭା କରି ନ ଥିବାରୁ ସୀମା ନିର୍ଦ୍ଧାରଣ ହୋଇନାହିଁ ।
୧୯୯୮ରେ ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ଠାରେ ପ୍ରକଳ୍ପର ଶୁଭ ଦିଆଯାଇଥିଲା। ସେ ସମୟରେ ଆନ୍ଧ୍ର, ଓଡ଼ିଶା ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଥିଲା। ୩ ରାଜ୍ୟ ଓ କେନ୍ଦ୍ରର ସହମତିରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ୨୦୦୪ରେ ପୁନଃ ଏହି ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଦ୍ୱିତୀୟ ଶୁଭାରମ୍ଭ ହୋଇଥିଲା। ସେ ସମୟରେ ଓଡ଼ିଶାରେ ବିଜେଡି ସରକାର ଥିଲା। ୨୦୧୪ରେ କେନ୍ଦ୍ର ଭାଜପା ସରକାର ପ୍ରକଳ୍ପ କାମକୁ ଆଗେଇନେବା ପାଇଁ ଅର୍ଥ ବରାଦ କରିଥିଲେ। କିନ୍ତୁ ୨୫ ବର୍ଷ ଧରି ବିଜେଡି ସରକାର କେବଳ କେନ୍ଦ୍ରକୁ ଚିଠି ଲେଖିବା ଓ ଉଚ୍ଚ ନ୍ୟାୟାଳୟ ଆଶ୍ରୟ ନେବା ବ୍ୟତୀତ ପୋଲାଭରମ୍‌ ପ୍ରକଳ୍ପକୁ ବିରୋଧକରି କୌଣସି ବଡ଼ ଧରଣର ପଦକ୍ଷେପ ନେଇ ନ ଥିଲା। ଏହି ପ୍ରକଳ୍ପକୁ ନେଇ ମାଲକାନଗିରି ଜିଲାରେ କ୍ଷୟକ୍ଷତିକୁ ଗୁରୁତ୍ୱ ଦେଇ ବର୍ତ୍ତମାନର ସରକାର ଖୁବ୍‌ ତତ୍ପର ଅଛନ୍ତି। ଓଡ଼ିଶା ସୀମାରେ କିପରି ପୋଲାଭରମ୍‌ର ପଛୁଆ ଜଳ ପ୍ରବେଶ ନ କରିବ, ହିଡ଼ ବ୍ୟବସ୍ଥା କରି ପ୍ରକଳ୍ପ ଉଚ୍ଚତା କମାଇବାକୁ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ବିଧାୟକ ନରସିଂହ ମାଡକାମୀ କହିଛନ୍ତି ।

Share