ବିଜୁ ସେତୁ କାମ ଅଧାପନ୍ତରିଆ

ନୟାଗଡ଼,୧୦।୯(ଲୋକନାଥ ମିଶ୍ର)ନୟାଗଡ଼ ବ୍ଲକର ଗମ୍ଭାରିଡିହି ଟିପୁରା ରାସ୍ତାର ଦୁଆଣ୍ଟ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ ଅଧାପନ୍ତରିଆ ଅବସ୍ଥାରେ ଗତ ୩ ବର୍ଷ ହେଲା ପଡି ରହିଛି । କିନ୍ତୁ ନାମ ଫଳକ ଦେଖିଲେ ୨ବର୍ଷ ହେଲା କାମ ଶେଷ ହୋଇଗଲାଣି । ପୋଲ ନିର୍ମାଣ ନ ହେବାରୁ ଗମ୍ଭାରିଡିହି, ଚନ୍ଦ୍ରଶେଖରପୁର, ଦେଉଳି, ଅମୃତମଣୋହୀ, କୃଷ୍ଣାଦେଇପୁର, ନନ୍ଦପୁର, ସମାନ୍ତରାପୁର, ଟିପୁରା, ଇକିରି, ନଛିପୁର, ତେନ୍ତୁଳିଆପଲ୍ଲୀ, ଖଇରପଟି ଓ ଆଡବନ୍ଧ ଲୋକେ ବର୍ଷାଋତୁରେ ଯାତାୟତରେ ହଇରାଣ ହେଉଛନ୍ତି ା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ପକ୍ଷରୁ ପୋଲ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଟିପୁରା ରାସ୍ତାର ଦୁଆଣ୍ଟ ନଦୀ ଉପରେ ଉଚ୍ଚ ସେତୁ ନିର୍ମାଣ ପାଇଁ ୧୬।୨।୨୦୧୯ରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଶିଳାନ୍ୟାସ କରିଥିଲେ । ପୋଲ ନିର୍ମାଣ ପାଇଁ ୫୮୫.୬୫ ଲକ୍ଷ ମଞ୍ଜୁର ହୋଇଥିଲା। ୨୧।୮।୨୦୧୯ରୁ କାମ ଆରମ୍ଭ ହୋଇଥିଲା । ୨୦।୨।୨୦୨୧ରେ କାମ ଶେଷ ହେବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲା । ଏପରି କି ପୋଲ ନିକଟରେ ମରାଯାଇଥିବା ନାମ ଫଳକରେ ମଧ୍ୟ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଉଲ୍ଲେଖ ରହିଛି । ତେବେ ପୋଲ କାମ ଅଧାପନ୍ତରିଆ ହୋଇ ପଡ ରହିଛି । ଏନେଇ ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ହୃଷିକେଶ ବରାଳ କୁହନ୍ତି, ନଦୀରେ ବନ୍ୟା ଜଳ ଆସିବା କାରଣରୁ କାମ ବନ୍ଦ ରହିଛି । ପୁଣି ଉପରେ ବୁଢ଼ାବୁଢ଼ିଆଣି ବନ୍ଦ ପାଣି ଛାଡୁଛି । ବର୍ଷାଋତୁ ଶେଷ ହେଲେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ଡାହୁକା ପୋଲ କାମ ୩ ବର୍ଷ ହେଲା ବନ୍ଦ
ନୟାଗଡ଼-ଖଣ୍ଡପଡ଼ା ମୁଖ୍ୟ ରାସ୍ତାର ଯଦୁପୁର ବାଲୁଗଁା ମଧ୍ୟବର୍ତ୍ତି ଅଞ୍ଚଳର ଡାହୁକା ପୋଲର କାମ ୩ ବର୍ଷ ହେଲା ବନ୍ଦ ରହିଛି । ଜମି ଅଧିଗ୍ରହଣ ହୋଇ ପାରୁ ନ ଥିବାରୁ ପୋଲ କାମ ହେଉନାହିଁ। ଅନ୍ୟପକ୍ଷେ ଜଣେ ଠିକାଦାର କାମ ବିଳମ୍ବ କରିିବାରୁ ସାନି ଟେଣ୍ଡର ହୋଇଛି । ଏଭଳି ସ୍ଥଳେ ଯଦୁପୁର ବାଲୁଗଁା ମଧ୍ୟବର୍ତ୍ତି ଅଞ୍ଚଳରେ ଥିବା ପୋଲ ବିପଦସଙ୍କୁଳ ହୋଇ ପଡିଲାଣି । ଏଥିରେ ପ୍ରତ୍ୟହ ଭାରି ଯାନ ଚାଲୁଛି । ପୋଲଟି ଦୁର୍ବଳ ହୋଇ ଯାଇଥିବାରୁ କେତେବେଳେ ଅଘଟଣ ଘଟିିବ କହି ହେବ ନାହିଁ । ଏଭଳିସ୍ଥଳେ ପୁରୁଣା ପୋଲ ସ୍ଥାନରେ ନୂଆ ପୋଲ ନ କରି ପୁରୁଣା ପୋଲ ଠାରୁ କିଛି ଦୂରରେ ନିର୍ମାଣ କରିବା ସମସ୍ୟା ଡାକି ଆଣିଛି । ଯଦି ଜମି ଅଧିଗ୍ରହଣ ନ ହୋଇ ପାରିଲା ପୋଲ ନିର୍ମାଣରେ ଯେଉଁ ଟଙ୍କା ବିନିଯୋଗ ହୋଇଛି ତାହା ପାଣିରେ ପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ଯଦି ଜମି ଅଧିଗ୍ରହଣ ହେଲା ତେବେ ପୋଲ ନିର୍ମାଣ ହେବାକୁ ପୁଣି ୧ରୁ ୨ ବର୍ଷ ସମୟ ଲାଗି ପାରେ । ନୂଆ ପୋଲ ନିର୍ମାଣ ହେବା ବେଳକୁ ପୁରୁଣା ପୋଲର ସ୍ଥାୟିତ୍ୱ ରହିବ କି ନଁା କହିବା ମୁସ୍କିଲ । ଅପରପକ୍ଷେ ଏହି ପୋଲ ପାଇଁ ନାମ ଫଳକ ନାହିଁ । ନାମ ଫଳକ ଲଗା ଯାଇ ନ ଥିବାରୁ ପୋଲ ପାଇଁ କେତେ ଟଙ୍କା ମଞ୍ଜୁର ହୋଇଛି, କିଏ କାମ କରୁଛି, କାମ କେବେ ଆରମ୍ଭ ହେଲା ଓ କେବେ ଶେଷ ହେବ ସେ ନେଇ କିଛି ଜାଣି ହେଉନି ବୋଲି ଅଭିଯୋଗ ଉଠିଛି । ଏନେଇ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଭିଷେକ ଓଝା କୁହନ୍ତି, ପୋଲ କାମ ପାଇଁ ଜମି ଅଧିଗ୍ରହଣ ହୋଇ ପାରିଲା ନାହିଁ । ସ୍ଥାନୀୟ ଲୋକ ପୋଲ କାମ ବନ୍ଦ କରାଇ ଦେଲେ । ନଦୀ ଭିତରେ ପୋଲ କାମ କରିବା ବେଳେ ବନ୍ୟା ଜଳ ବାଧକ ସାଜିଛି । ଏଣୁ ଜମି ଅଧିଗ୍ରହଣ ପାଇଁ ରିଭାଇଜ ଏଷ୍ଟିମେଟ ଆପ୍ରୁୁଭାଲ ପାଇଁ ସରକାରଙ୍କ ନିକଟକୁ ଫାଇଲ ଯାଇଛି। ଆପ୍ରୁୁଭାଲ ମିଳିଲେ ପୋଲ କାମ ପୁଣିଥରେ ଆମ୍ଭ ହେବ ବୋଲି କହିଛନ୍ତି ।