ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରଖାଯାଉ: ଇଣ୍ଡିଆ

ଭୁବନେଶ୍ୱର,୬।୬(ଶର୍ମିଷ୍ଠା ପାଣିଗ୍ରାହୀ)ରାଜ୍ୟର ରୋଗୀଙ୍କ ଚିକିତ୍ସା ପାଇଁ ଉପଲବ୍ଧ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଜାରି ରଖାଯାଉ। ଏହି କାର୍ଡ ବନ୍ଦ ନେଇ କୌଣସି ଅପପ୍ରଚାର କରା ନ ଯାଉ। ଏହାଦ୍ୱାରା ରାଜ୍ୟର ବହୁ ରୋଗୀ ଏବଂ ତାଙ୍କ ପରିବାର ହଇରାଣ ହେବା ସହ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ଇଣ୍ଡିଆ ମେଣ୍ଟ ପକ୍ଷରୁ କୁହାଯାଇଛି। ଏନେଇ ବୁଧବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ବାସଭବନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜେନାଙ୍କ ସମେତ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସମାଜବାଦୀ ପାର୍ଟି ଓଡ଼ିଶା ମୁଖ୍ୟ ରବି ବେହେରା, ଫରୱାର୍ଡ ବ୍ଲକ ନେତା ଜ୍ୟୋତି ମହାପାତ୍ର, ଏନ୍‌ସିପି ନେତା ବିକ୍ରମ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସିପିଆଇ, ସିପିଏମ୍‌, ଆର୍‌ଜେଡି, ସିପିଆଇ ଏମ୍‌ଏଲ ଓ ଆମ୍‌ ଆଦମୀ ପାର୍ଟି ନିଜ ସମର୍ଥନ ଜାରି କରିଛନ୍ତି।
ବୈଠକରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ଘରୋଇ ଚିକିତ୍ସାଳୟ ବିଏସ୍‌କେୱାଇ ଗ୍ରହଣ ନ କରିବା ଦ୍ୱାରା ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ଏପରି କରା ନ ଯାଉ। ସେହିପରି କାନୁନଗୋ କହିଲେ, ରୋଗୀମାନଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳ ଏକ ହୋଇ ସ୍ବର ଉତ୍ତୋଳନ କରିବୁ। ସେହିପରି ରବି ବେହେରା କହିଲେ, ବିଏସ୍‌କେୱାଇ ଗ୍ରହଣ ହେଉ ନ ଥିବାରୁ ରାଜ୍ୟରେ ଏକ ଆତଙ୍କ ସୃଷ୍ଟି ହେଉଛି। ଓଡ଼ିଶା ଏନ୍‌ସିପି ମୁଖ୍ୟ ବିକ୍ରମ ସ୍ବାଇଁ କହିଲେ, ଆମେ କ୍ୟାପିଟାଲ ହସ୍ପିଟାଲ ଯାଇ ଦେଖିଲୁ, ରୋଗୀମାନେ ବିଏସ୍‌କେୱାଇ ସେବାରୁ ବଞ୍ଚତ୍ତ ହେଉଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ସ୍ବାଇଁ କହିଥିଲେ। ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ନାଁରେ ହୋଇଥିବା ଯୋଜନାକୁ ବନ୍ଦ କରିବାକୁ ଦିଆଯିବ ନାହିଁ ବୋଲି ଇଣ୍ଡିଆ ମେଣ୍ଟର ସବୁ ଦଳ ଏକ ସ୍ବରରେ କହିଥିଲେ।