ପାରାଦୀପ,୭।୪(ସ୍ବ.ପ୍ର.): ପାରାଦୀପର ଅଠରବାଙ୍କି ବାଲିପ୍ଲଟ ମାଛ ଗଦିରେ ଥିବା କଳିଙ୍ଗ କର୍ଣ୍ଣଧାର ମତ୍ସ୍ୟଜୀବୀ ସମବାୟ ସମିତି ଘର ଉପରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଜବହାରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିକୁ ଗୁରୁବାର ସନ୍ଧ୍ୟାରେ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ପାଖରେ ଏକ ପରିତକ୍ତ ଜାଗାରେ ଉକ୍ତ ପ୍ରତିମୂର୍ତ୍ତି ପଡ଼ିଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଘର ମରାମତି କାର୍ଯ୍ୟ ପାଇଁ ଏହି ପ୍ରତିମୂର୍ତ୍ତି ସ୍ଥାନାନ୍ତର କରାଯାଇଛି ବୋଲି ସେଠାକାର କାର୍ତ୍ତିକେଶ୍ୱର ମତ୍ସ୍ୟ ସଂଘ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଏହି ପ୍ରତିମୂର୍ତ୍ତିକୁ ୨୦୦୩ ଜାନୁୟାରୀ ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିଥିଲେ।
୧୯୯୭-୯୮ରେ ପାରାଦୀପ ବନ୍ଦର ସମ୍ପ୍ରସାରଣ ପାଇଁ ଘନଗଳିଆ ଉଚ୍ଛେଦ କରାଯାଇଥିଲା। ଘନଗଳିଆରେ ଥିବା ମତ୍ସ୍ୟ ବେପାରୀମାନଙ୍କ ଗଦିକୁ ସେତେବେଳେ ବନ୍ଦର ପ୍ରଶାସନ ଅଠରବାଙ୍କି କାଉଡ଼ିଆ ନଦୀ ପାଖରେ ବାଲି ପକାଇ ପ୍ଲଟ କରି ଥଇଥାନ କରିଥିଲେ। ସେଥିପାଇଁ ଏହାର ନାମ ବାଲିପ୍ଲଟ ହୋଇଛି। ସେହି ବାଲିପ୍ଲଟରେ କୈବର୍ତ୍ତମାନଙ୍କ ସଙ୍ଗଠନ କଳିଙ୍ଗ କର୍ଣ୍ଣଧାରଙ୍କୁ ଏକ ଜାଗା ମିଳିଥିଲା। ସେତେବେଳେ ସମିତିର ସଭାପତି ଥିବା ସ୍ବର୍ଗତ ଶଙ୍ଖ ବେହେରା ଏକ ୩ ମହଲା ବିଶିଷ୍ଟ ଘର କରିଥିଲେ। ଘରର ଛାତ ଉପରେ ସିମେଣ୍ଟ ରଡ଼ ଦ୍ୱାରା ଏକ ଡଙ୍ଗା ତିଆରି ହୋଇଥିଲା। ସେହି ଡଙ୍ଗା ଉପରେ ନେହେରୁ ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୋଇଥିଲା। କାରଣ ଏହି ୨ ରାଜନେତା ଯୋଗୁ ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇଥିଲା। ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ସେଠାକାର ମତ୍ସ୍ୟଜୀବୀ ସଂଘ ସଭାପତି କେଦାର ଜେନାଙ୍କୁ ପଚାରିବାରେ କୁହନ୍ତି, ଛାତ ଉପରେ ଥିବା ଡଙ୍ଗା ଓ ପ୍ରତିମୂର୍ତ୍ତି ଦୁର୍ବଳ ହୋଇଯାଇ ଥିବାରୁ କଳିଙ୍ଗ କର୍ଣ୍ଣଧାର ସଙ୍ଗଠନ ପକ୍ଷରୁ ତାହାକୁ ଭାଙ୍ଗି ଦିଆଯାଇଛି। ପରେ ଅନ୍ୟ ଜାଗାରେ ସସମ୍ମାନ ସହ ଏହାକୁ ସ୍ଥାପନା ସେମାନେ ସ୍ଥାପନ କରିବେ। କଳିଙ୍ଗ କର୍ଣ୍ଣଧାର ସମିତି ସମ୍ପାଦକ ଅଲେଖ ତରାଇ କୁହନ୍ତି, ସମିତିର ଛାତ ଦୁର୍ବଳ ହୋଇଯାଇଥିଲା। ଏ ନେଇ ସେଠାରେ ଥିବା ଆମ ଲୋକ ଯଦି କିଛି କରିଥିବେ, ତେବେ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ପଦକ୍ଷେପ ନିଆଯିବ।