ବିଜୁଙ୍କ ଫଟୋ ଆଉଟ୍‌: ଅଜୟ କୁମାର

ଭୁବନେଶ୍ୱର, ୨୪।୧(ଅସମାପିକା ସାହୁ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଜୟ କୁମାର କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନ ବୁଲିବା ସମୟରେ ବିଜେଡି ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କ ଫଟୋକୁ ବାଦ୍‌ ଦିଆଯିବା ଦେଖିବାକୁ ପାଇଛନ୍ତି। ବିଜୁଙ୍କ ଜାଗାରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗିବା ଦେଖାଗଲାଣି। ଯେପରି ବିଜେଡି ପୋଷ୍ଟରରୁ ବିଜୁଙ୍କ ଫଟୋକୁ ଆଉଟ୍‌ କରି ପାଣ୍ଡିଆନ୍‌ଙ୍କ ଫଟୋକୁ ଇନ୍‌ କରାଯାଉଛି, ତାହା ଦର୍ଶାଉଛି ଯେ କିଛିଦିନ ପରେ ନବୀନଙ୍କ ଫଟୋ ମଧ୍ୟ ହଟିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ସେ ଆହୁରି ମଧ୍ୟ କହିଛନ୍ତି, ବିପକ୍ଷ ଦଳ ହୋଇଥିଲେ ମଧ୍ୟ ବିଜୁବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି। ବିଜୁଙ୍କ ଫଟୋ ବାଦ୍‌ ଦିଆଯିବା ଓଡ଼ିଆ ଅସ୍ମିତା ପ୍ରତି ଆଘାତ ବୋଲି ସେ କହିଛନ୍ତି।
ଆସନ୍ତା ୨୯ ତାରିଖରେ ଓଡ଼ିଆଙ୍କ ଅସ୍ମିତା ପାଇଁ ହେଉଥିବା ଲଢ଼େଇରେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସାମିଲ ହେବେ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରତିଟି ସ୍ବାଭିମାନୀ ଓଡ଼ିଆଙ୍କୁ ସାମିଲ ହେବା ପାଇଁ ନିବେଦନ କରାଯାଉଛି। କଂଗ୍ରେସ ହିଁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ। କଂଗ୍ରେସକୁ ଏକ ସଶକ୍ତ ବିକଳ୍ପ ରାଜନୈତିକ ଦଳ ଭାବେ ଆଗକୁ ଆଣିବା ପାଇଁ ଦଳରେ ଯୋଗଦେବାକୁ ଇଚ୍ଛୁକ ସମସ୍ତ ନେତା ଓ କର୍ମୀଙ୍କୁ ସ୍ବାଗତ କରାଯିବ ବୋଲି ଅଜୟ କୁମାର କହିଛନ୍ତି।

Share