ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଗଞ୍ଜାମରୁ ଆରମ୍ଭ କରିଥିଲେ ଭୋଟ ରାଜନୀତି। ଜିଲାରୁ ଲଗାତର ଦୁଇଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ବାଧୀନତା ପରବର୍ତ୍ତୀ ୧୯୫୧-୫୨ ସାଧାରଣ ନିର୍ବାଚନରେ ତତ୍କାଳୀନ ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀରୁ ଏବଂ ୧୯୫୭ ନିର୍ବାଚନରେ ସୋରଡ଼ା ନିର୍ବାଚନମଣ୍ଡଳୀରୁ କଂଗ୍ରେସରୁ ଜିତିଥିଲେ। ୧୯୬୧-୬୨ ନିର୍ବାଚନରେ କଟକ ଜିଲା ଚୌଦ୍ୱାର ଆସନରୁ ପୁଣି କଂଗ୍ରେସରୁ ନିର୍ବାଚିତ ହୋଇ ପ୍ରଥମ ଥର ରାଜ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସ୍ବଳ୍ପକାଳ କ୍ଷମତାସୀନ ହୋଇଥିବା ବିଜୁବାବୁ ଜାତୀୟ କଂଗ୍ରେସର କାମରାଜୁ କାର୍ଯ୍ୟକ୍ରମରେ ଯୋଗଦେଇ ପଦ ଛାଡ଼ିଥିଲେ। ତେଣୁ ବୀରେନ ମିତ୍ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ବିଜୁଙ୍କ ପୈତୃକ ଗ୍ରାମ ଭଞ୍ଜନଗର ନିକଟ ନୂଆଗଁା। ତାଙ୍କ ବାପା ସ୍ବର୍ଗତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସେଠାରେ ଜନ୍ମ ହୋଇଥିଲେ। ତେଣୁ ଭୋଟ ରାଜନୀତି ପାଇଁ ପ୍ରଥମେ ଗଞ୍ଜାମ ଜିଲାକୁ ବାଛିଥିଲେ। ସେତେବେଳେ ଏହି ଜିଲାରେ ବିରୋଧୀ ଭାବେ ମୁଖ୍ୟତଃ କମ୍ୟୁନିଷ୍ଟ ଏବଂ ଆଉ କେତେକ ଅଞ୍ଚଳରେ ଗଣତନ୍ତ୍ର ପରିଷଦ ପାର୍ଟି କଂଗ୍ରେସକୁ ମୁକାବିଲା କରୁଥିଲା। ୧୯୯୬ ଲୋକ ସଭା ନିର୍ବାଚନରେ ସେ ଆସିକା କ୍ଷେତ୍ରରୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ମାତ୍ର ବର୍ଷକରେ ୧୯୯୭ରେ ଆରପାରିକୁ ଚାଲିଗଲେ।
ଆସିକା ଲୋକ ସଭା ଉପନିର୍ବାଚନ ୧୯୯୭ରେ ହୋଇଥିଲା। ପୁତ୍ର ନବୀନ ପଟ୍ଟନାୟକ ଜନତା ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରି ବିପୁଳ ଭୋଟରେ ନିର୍ବାଚିତ ହେଲେ। ଫଳରେ ପିତାଙ୍କ ପରେ ପୁତ୍ର ମଧ୍ୟ ଗଞ୍ଜାମରୁ ଭୋଟ ରାଜନୀତି ଆରମ୍ଭ କରିଛନ୍ତି। ଉପନିର୍ବାଚନ ପରେ ୧୯୯୮ ଓ ୯୯ ଲୋକ ସଭା ନିର୍ବାଚନରେ ନବୀନ ବିଜୁ ଜନତା ଦଳରୁ ଏମ୍ପି ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ୨୦୦୦ ବିଧାନସଭା ନିର୍ବାଚନ ବେଳେ ସେ ଏମ୍ପି ପଦ ଛାଡ଼ି ପ୍ରଥମେ ହିଞ୍ଜିଳିକାଟୁ ସେଗ୍ମେଣ୍ଟରୁ ବିଧାୟକ ହେଲେ। ସେଠାରୁ ଲଗାତର ୫ ଥର ଜିତି ୫ମ ପାଳି ମୁଖ୍ୟମନ୍ତ୍ରୀ ହୋଇ ଜାତୀୟ ରାଜନୀତିରେ ଚର୍ଚ୍ଚିତ ହୋଇଛନ୍ତି। ବିଜୁବାବୁଙ୍କ ଭଳି ନବୀନଙ୍କର ମଧ୍ୟ ଏହି ଜିଲାରେ ଲୋକପ୍ରିୟତା ବଢ଼ି ଚାଲିଛି। ପ୍ରବାଦ ପୁରୁଷଙ୍କ ଜନ୍ମ ତିଥିରେ ଜିଲା ଓ ବିଶେଷକରି ସୋରଡ଼ା ଓ ଜଗନ୍ନାଥପ୍ରସାଦ ଅଞ୍ଚଳର ପୁରୁଣାକାଳିଆ ଲୋକେ ତାଙ୍କୁ ମନେପକାଉଛନ୍ତି।
– ନରସିଂହ ସାହୁ, ବ୍ରହ୍ମପୁର