ଭୁଶୁଡ଼ିଲା ବିଜୁସେତୁ ସଂଯୋଗୀକରଣ ରାସ୍ତା

ଡେରାବିଶ, ୬୯ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲକ ଅନ୍ତର୍ଗତ ବେଲାରପୁର ହଳଦିଆ ରାସ୍ତା ଚାଟରାଚକଡା ପଞ୍ଚାୟତ ଅଧୀନ ଫକିରାବାଦ ଗ୍ରାମ ଦେଇ ବହି ଯାଇଥିବା ୧୯ ନଂ. ଡ୍ରେନେଜ କଟ୍‌ ଉପରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ରାହ୍ମଣୀ ତୁଠ ନିକଟରେ ବିଜୁ ସେତୁ ନିର୍ମିତ ହୋଇଥିଲା। ଏହି ସେତୁ ନିର୍ମାଣ କାର୍ଯ୍ୟ ଓ ସଂଯୋଗୀକରଣ ରାସ୍ତାର ନିର୍ମାଣ ପାଇଁ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି କାର୍ଯ୍ୟ ପାଇଁ କୌଣସି ସୂଚନା ଫଳକ ବିଭାଗ ପକ୍ଷରୁ ସେଠାରେ ନ ଥିବାରୁ ଏହି କାର୍ଯ୍ୟ କେତେ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ସେ ବିଷୟରେ ସାଧାରଣ ଲୋକଙ୍କ ନିକଟରେ କୌଣସି ସୂଚନା ନାହିଁ। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଲେ କୌଣସି ଉତ୍ତର ଦେଉନାହାନ୍ତି। ପୂର୍ବତନ ସରପଞ୍ଚ କ୍ଷୀରୋଦ କୁମାର ନାୟକ କହିଛନ୍ତି, ଏହି ସେତୁ କାର୍ଯ୍ୟ ଆରମ୍ଭରୁ ଯନ୍ତ୍ରୀ ଓ ଠିକାଦାରଙ୍କ ମରେ ମଧୁଚନ୍ଦ୍ରିକାରେ ଅତି ନିମ୍ନମାନର କାର୍ଯ୍ୟ କରାଯାଇଛି। ଏ ବିଷୟରେ ଅଞ୍ଚଳବାସୀ ବିଭିନ୍ନ ସମୟରେ ପ୍ରଶାସନ ଓ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ଆସିଥିଲେ। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା ା ତେବେ ଠିକାଦାର ନିଜ ମନମାନିରେ ସେତୁ କାର୍ଯ୍ୟ ନିର୍ମାଣ କରିବା ସହ ବର୍ଷା ଦିନରେ ତରବରିଆ ଭାବେ ନିମ୍ନମାନର ମାଟି ପକାଇ ସେତୁର ଉଭୟ ପଟକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାମ କରିଥିଲେ। ବିଭାଗୀୟ ଯନ୍ତ୍ରୀ ଏହାର ଗୁଣବତ୍ତା ପରୀକ୍ଷା କରି ନ ଥିଲେ। ସଂଯୋଗୀକରଣ ରାସ୍ତାକୁ ତରବରିଆ ଭାବେ ପିଚୁ କରାଯାଇଥିଲା। ଏପରି ତରବରିଆ ଓ ନିମ୍ନମାନର କାମକୁ ସ୍ଥାନୀୟ ଗ୍ରାମବାସୀ ଓ ଉକ୍ତ ରାସ୍ତାରେ ଯାତାୟାତ ପାଇଁ ନିର୍ଭର କରୁଥିବା ଅଞ୍ଚଳବାସୀ ବିରୋଧ କରିଥିଲେ ସୁଦ୍ଧା ଠିକାଦାର ଏଥିପ୍ରତି ଭ୍ରୂକ୍ଷେପ କରି ନ ଥିବା ନାୟକ କହିଛନ୍ତି। ବର୍ଷା ପାଣିରେ ଏହି ସେତୁର ଉଭୟପଟ ସଂଯୋଗୀକରଣ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା। ଏପରି କି ରାସ୍ତାର ଉଭୟପାର୍ଶ୍ୱରେ ହୋଇଥିବା ନିମ୍ନମାନର ପଥର ପ୍ୟାକିଂ ଅନେକ ସ୍ଥାନରେ ଫାଟି ଯାଇ ପଥର ବାହାରକୁ ବାହାରି ପଡ଼ିଛି। ରସ୍ତାର ଉଭୟପାର୍ଶ୍ୱରେ ଲାଗିଥିବା ଛୋଟ ଛୋଟ ଖମ୍ବଗୁଡ଼ିକ ତଳକୁ ଶୋଇଯାଇଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଠିକାଦାର ଓ ବିଭାଗ ନାମକୁ ମାତ୍ର ବିଭିନ୍ନ ଫାଟ ସ୍ଥାନରେ କ୍ରଶର ଗୁଣ୍ଡ ପକାଇ ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିଲେ। ହେଲେ ବର୍ତ୍ତମାନ ସମୟରେ ଚାଲିଥିବା ଲଗାଣ ବର୍ଷା ଯୋଗୁ ଉକ୍ତ ବିଜୁସେତୁ ସଂଯୋଗୀକରଣ ରାସ୍ତା ଭୁଶୁଡି ପଡିଛି। ଉଭୟ ପଟ ସଂଯୋଗୀକରଣ ରାସ୍ତାର ଅନେକ ସ୍ଥାନ ଦବି ଯିବା ସହିତ ଫାଟିଯାଇଛି ବୋଲି ଚାଟରାଚକଡା ପଞ୍ଚାୟତ ସମିତି ସଭ୍ୟ ନିରଞ୍ଜନ କର କହିଛନ୍ତି। ସେହିପରି ପୋଲ ଢଳେଇକୁ ଲାଗିଥିବା ସ୍ଥାନର ମାଟି ବର୍ଷାରେ ଧୋଇ ଯାଇଛି। ଫଳରେ ସଂଯୋଗୀକରଣ ରାସ୍ତାଟି ବିପଦ ସଙ୍କୁଳ ଅବସ୍ଥାକୁ ଆସିଯାଇଛି। ଏହି ରାସ୍ତାରେ ଯାତାୟାତ ପାଇଁ ସାଧାରଣ ଲୋକ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେବେ ଉକ୍ତ ପୋଲ ଓ ରାସ୍ତା ସମସ୍ୟାର ତାଳିପକା ସମାଧାନ ବା ଏହି ଘଟଣାକୁ ଲୁଚାଇବା ପାଇଁ ଠିକାଦାରଙ୍କ ପକ୍ଷରୁ ଉକ୍ତ ସ୍ଥାନରେ ଗୋଡି, ବାଲି, ମେଟାଲ ଓ କ୍ରଶର ଗୁଣ୍ଡ ପକାଯାଇ ରାତିଅଧିଆ କାମ କରାଯାଉଥିବା ନେଇ ସମିତିସଭ୍ୟ କର କହିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରାଜେଶ ପ୍ରଧାନଙ୍କୁ ପଚାରିବାରୁ ଏହି ବିଷୟରେ ସେ ଅବଗତ ଅଛନ୍ତି। ବର୍ଷା ଛାଡିବା ପରେ ସେତୁକୁ ସଂଯୋଗ କରିଥିବା ଉଭୟ ପାର୍ଶ୍ୱର ରାସ୍ତାକୁ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।