ବିକାଶ, ପପୁ, ଦୀପକଙ୍କ ଲାଏ ଡିଟେକ୍ସନ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁର ରହସ୍ୟ ପାଇବାକୁ କ୍ରାଇମ୍‌ବ୍ରାଞ୍ଚ ଶେଷରେ ଲାଏ ଡିଟେକ୍ସନର ସାହାରା ନେଇଛି। ଗୁରୁବାର ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବାବେଳେ ଶୁକ୍ରବାର ୩ ସହଯୋଗୀ ତଥା ପିପୁଲ ଫର୍‌ ସେବାର ସଦସ୍ୟ ବିକାଶ, ପପୁ ଓ ଦୀପକଙ୍କ ଟେଷ୍ଟ କରାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍‌ ଏହି ୩ଜଣଙ୍କୁ ଧରି ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍ସିକ୍‌ ଲାବ୍‌ରେ ପହଞ୍ଚତ୍ଥିଲା। ପ୍ରଥମେ ବିକାଶ ଓ ପରେ ଅନ୍ୟ ଦୁଇଜଣଙ୍କର ଲାଏ ଡିଟେକ୍ସନ କରାଯାଇଥିଲା। ଏହାସହ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବିକାଶକୁ ମଧ୍ୟ ଜେରା କରିଥିଲା।
ଲାଏ ଡିଟେକ୍ସନ୍‌ ପରେ ବିକାଶ କହିଛନ୍ତି, ଆଦିତ୍ୟଙ୍କ ଡାଏରୀ, ଅଡିଓ କଲ୍‌ ସହ ଉଭୟ ସ୍ବାମୀ,ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଆଦି ସଂକ୍ରାନ୍ତ ୧୫ ବିଷୟରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ସେ ସମସ୍ତ ଉତ୍ତର ଦେଇଥିବା କହିଛନ୍ତି। ସେହିପରି ପପୁ ଓ ଦୀପକଙ୍କୁ ୬୦ରୁ ଉର୍ଦ୍ଧ୍ୱ ପ୍ରଶ୍ନ କରାଯାଇଥିଲା। ପୂରା ପ୍ରକ୍ରିୟର ଭିଡିଓ ରେକର୍ଡିଂ କରାଯାଇଛି। ସେମାନେ ପୂର୍ବରୁ ଦେଇଥିବା ବୟାନ ଓ ଟେଷ୍ଟ ସମୟରେ ଦେଇଥିବା ବୟାନରେ କିଛି ସାମଞ୍ଜ୍ୟସ ରହିଛି କି ନାହିଁ ସେନେଇ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଯାଞ୍ଚ କରୁଛି। ଆଦିତ୍ୟଙ୍କ ସହ ପିପୁଲ ଫର ସଦସ୍ୟଙ୍କ ସମ୍ପର୍କ କିଭଳି ରହିଥିଲା। ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କ ପାରିବାରିକ ଝଗଡ଼ା ହେଉଥିଲା କି? ଯଦି ହେଉଥିଲା ତେବେ ଏହାର କାରଣ କ’ଣ? ଏହାସହ ଆଶ୍ରମ ଜମି କିଣାକୁ ନେଇ କିଛି ବିବାଦ ଉଠିଥିଲା କି? ବିଦ୍ୟାଶ୍ରୀଙ୍କ ବିଷୟରେ ଆଦିତ୍ୟ କ’ଣ କହୁଥିଲେ। ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା? ଆଦି ଅନେକ ପ୍ରଶ୍ନ ଲାଏ ଡିଟେକ୍ସନ ସମୟରେ ପଚରା ଯାଇଥିଲା ସୂଚନା ମିଳିଛି।

Share